ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଉପାନ୍ତ ଭଇଁସାଦାନୀ ଗ୍ରାମପଞ୍ଚାୟତର ରୁଣ୍ଡି ରାଜସ୍ୱ ଗ୍ରାମର ସିଆଲଲଟି ହେଉଛି ଏକ ଉପାନ୍ତ ପଡ଼ା ଯଦିଓ ଏହା ପଡ଼ା ଭାବରେ ସରକାରୀ କାଗଜାତ ରେ ସୀମିତ ହେଲେ ଏହା ଏକ ଗ୍ରାମରେ ପରିଣତ ହୋଇସାରିଲାଣି। ଏହି ପଡ଼ାରେ ବସ ବାସ କରନ୍ତି ଆଦିବାସୀ ସମ୍ପ୍ରଦାୟର ପାଖାପାଖି ୨୩୦ରୁ ଉର୍ଦ୍ଧ୍ୱ ପରିବାର,ସମ୍ପୂର୍ଣ୍ଣ ପଡ଼ା ଟି ବନ ପାହାଡ ଘେରା ସବୁଜିମା ମଧ୍ୟରେ ପରିପୂର୍ଣ୍ଣ। ବ୍ଲକ କାର୍ଯ୍ୟାଳୟ ଠାରୁ ୧୭ କିଲୋମିଟର ଦୂରରେ ଅବସ୍ଥିତ। ହେଲେ ଆଜିବି ଯାତାୟାତର ମାଧ୍ୟମ ପାଲଟିଛି କାଠ ତିଆରି ପୋଲ। ସୂଚନା ଯୋଗ୍ୟ ଯେ ୫ ବର୍ଷ ତଳେ ଜଙ୍ଗଲରୁ ପ୍ରବାହିତ ଏକ ନାଲାରେ ପୋଲ ନିର୍ମାଣ କରି ଧରୁଆପଡ଼ା ଓ ସିଆଲଲଟିର ରାସ୍ତା ସଂଯୋଗୀକରଣ ଦ୍ୱାରା ଗମନାଗମନର ସୁବିଧା ପାଇଁ ଏକ ସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା। ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁଁ କାର୍ଯ୍ୟ ସରିବାର ଅଳ୍ପଦିନ ମଧ୍ୟରେ ଭାଙ୍ଗି ନଷ୍ଟ ହୋଇ ଯାଇଥିଲା। ଭାଙ୍ଗିବା ଦିନ ଠାରୁ ଏଯାଏ ଏହି ପୋଲର ମରାମତି ହୋଇପାରି ନାହିଁ। ଯାହା ଫଳରେ ଦୈନିକ ଯାତାୟାତ କରୁଥିବା ଜନସାଧାରଣ ମାନେ ନିଜ ଉଦ୍ୟମରେ କିଛି କାଠ ମାଧ୍ୟମରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରି ଅତି ବିପଦପୂର୍ଣ୍ଣ ଭାବେ ଯିବାଆସିବାକରୁଛନ୍ତି। ଅଳ୍ପ ଦିନ ତଳେ ଏକ ଆମ୍ବୁଲାନ୍ସ ମଧ୍ୟ ଏହି ପୋଲରେ ଦବି ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏହି ପୋଲ ଦେଇ ଛୁଇଁପାଣି,ଭୁଇପାଣି,ଖୋଲିଭିତର,ଝରଣମାଲ,ଯିବା ସହଜ ହେଉଥିବା ବେଳେ ଭଇଁସାଦାନୀ ଗ୍ରାମପଞ୍ଚାୟତର ସମତଳ ଅଂଚଳରେ ଥିବା ଗ୍ରାମ ଗୁଡିକ ନିର୍ଭରଶୀଳ। ଗୋଟିଏ ପଟେ ଅଜାଗା ରେ ପୋଲ,ଗାର୍ଡୱାଲ,ନିର୍ମାଣ କରିବାରେ ପ୍ରଶାସନ ବ୍ୟସ୍ତ ଥିବା ବେଳେ ଯେଉଁଠି ଦରକାର ସେଇଠାରେ ଅବହେଳା କାହିଁକି?ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପଞ୍ଚାୟତ ଠାରୁ ବ୍ଲକ ସ୍ତର ଯାଏ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ବର୍ତ୍ତମାନର ସରପଞ୍ଚ ଏହି ପୋଲ ନିର୍ମାଣ ପାଇଁ ତତ୍ପରତା ଦେଖାଇ ବିଡ଼ିଓ ମହାଶୟଙ୍କ ସହିତ ଆଲୋଚନା ହୋଇଥିବାର ସୂଚନା ଦେଇଛନ୍ତି। ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟରେ କାର୍ଯ୍ୟର ଅଗ୍ରଗତି କେବେ ହେବ ତାହା ସମୟ ହିଁ କହିବ ନା ଏମିତି କୋଣ ଠେସା ହୋଇ ରହିଯିବେ ଉପାନ୍ତ ଗ୍ରାମବାସୀ ।