ବାଲିଆପାଳ – ବାଲିଆପାଳ ଥାନ ରୁ ଚାରି କିଲୋମିଟର ଦୂର ପାକମୁଡ଼ି ଗ୍ରାମର ପୁରୁଷୋତ୍ତମ ଦେ ଙ୍କ ଘରୁ ବୁଧବାର ବିଳମ୍ବିତ ରାତ୍ରିରେ କେତେକ ଅଜଣା ଦୁର୍ବୃତ୍ତ ଗୃହ କର୍ତ୍ତାଙ୍କୁ ବନ୍ଧୁକ ଦେଖାଇ ସମସ୍ତ ସଦସ୍ୟଙ୍କୁ ବାନ୍ଧି ପକାଇ ନଗଦ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। ଗୁରୁବାର ସକାଳେ ପୁଲିସ ଖବର ପାଇ ସନ୍ଧାନୀ କୁକୁର ନେଇ ଛାନ ଭିନ କରିଛି।ମାତ୍ର ଚୋରମାନଙ୍କର କୌଣସି ଟେର ପାଇ ପାରି ନାହିଁ।ଚୋରମାନେ ମଟର ସାଇକେଲରେ ଯାଇ ଘରର ବାଉଣ୍ଡାରୀ ଗେଟ ର ତାଲା ଭାଙ୍ଗି ପଶିଥିଲେ।ପରେ ଘରର ଗ୍ରୀଲ ର ତାଲା ଭାଙ୍ଗି ଗୃହ ମାଲିକ ଉତ୍ତମ କୁମାର ଦେ ଙ୍କୁ ବନ୍ଧୁକ ଦେଖାଇ କାବୁ କରିଥିଲେ।ଘରର ଅନ୍ୟ ସଦସ୍ୟମାନେ ଉଠି ପଡିବାରୁ ସେମାନଙ୍କୁ ମଧ୍ୟ କାବୁ କରି ମୋବାଇଲ ଛଡ଼ାଇ ନେଇ ଗୋଡ଼ ହାତ ବାନ୍ଧି ଦେଇଥିଲେ। ଘରର ଲୋକମାନଙ୍କୁ ଜୀବନରୁ ମାରିଦେବାର ଧମକ ଦେବାରୁ ଘର ଲୋକ ମାନେ ଭୟ ଭୀତ ହୋଇ ନଗଦ ୪୫ହଜାର ଟଙ୍କା ଓ ସୁନା ଗହଣା ସେମାନଙ୍କୁ ସଙ୍ଗେ ସଙ୍ଗେ କାଢି ଦେଇ ଥିଲେ।ଚୋରମାନେ ଘର ମାଲିକ ,ତାଙ୍କ ସ୍ତ୍ରୀ, ପିଲାମାନଙ୍କୁ ନିସ୍ତୁକ ପିଟା ମରା କରିଛନ୍ତି।ଉତ୍ତମର ବୁଢ଼ାବାପା ଗୋଲକ ଙ୍କୁ ଚୋରମାନେ ବାନ୍ଧି ପକାଇ ଏକ ଘର ଭିତରେ ପୂରାଇ ବାହାର ପଟୁ ତାଲା ପକାଇ ଦେଇଥିଲେ।ଗଲା ବେଳେ ସମସ୍ତ ଙ୍କୁ ଘରେ ପୂରାଇ ବାହାର ପଟୁ ତାଲା ପକାଇ ଚମ୍ପଟ ମାରି ଥିଲେ।ସେମାନେ ଲୁଟିନେଇଥିବା ସମସ୍ତ ମୋବାଇଲ କୁ ବାରଣ୍ଡାରେ ପକାଇ ଚାଲି ଯାଇଛନ୍ତି।ଚୋରମାନେ ସ୍ଥାନୀୟ ଅଞ୍ଚଳର ହୋଇ ଥାଇ ପାରନ୍ତି ବୋଲି ଆକଳନ କରାଯାଇଛି।ଏନେଇ ଥାନାରେ ଏ ମାମଲା ପୁଲିସ ରୁଜ୍ଜୁ କରି ଅଧିକ ତଦନ୍ତ କରୁଛି।ଚୋର ମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ପୁଲିସ କହିଛି।ବାଲିଆପାଳ ଅଞ୍ଚଳରେ ଏବେ ଚୋରୀ ଓ ଛିନତାଇ ବୃଦ୍ଧି ପାଇଛି।ପୁଲିସ କୁ ଏହା ଏକ ଚେଲେଞ୍ଚ ପରି ହୋଇ ଛି।ଏହି ଘଟଣା ପରେ ବାଲିଆପାଳ ରେ ସାଧାରଣ ରେ ଆତଙ୍କ ଖେଳି ଯାଇଛି।