ପୁରୀରେ ବିଦ୍ୟୁତ ମହୋତ୍ସବ ପାଳିତ

ପୁରୀ –  ବିଦ୍ୟୁତ ର ସଦ ବ୍ୟବହାର ଓ ବିଦ୍ୟୁତ ସଂଚୟ ନେଇ ପ୍ରତ୍ୟେକ ସଚେତନ ହେଲେ ଭବିଷ୍ୟତ ପାଇଁ ଶକ୍ତି ସଂଚୟ କରାଯାଇ  ପାରିବ ବୋଲି ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି। ଆଜି ପୂର୍ବାହ୍ନ ରେ ପୁରୀ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ଏବଂ ପିଜିସିଆଇଏଲ, ଓପିଟିସିଏଲ , ଟିପିସିଓଡିଏଲ ର ମିଳିତ ସହଯୋଗରେ ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ଉଜ୍ଜ୍ୱଳ ଭାରତ, ଉଜ୍ଜ୍ୱଳ ଭବିଷ୍ୟ ପାୱାର @୨୦୪୭ ବିଦ୍ୟୁତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ଶ୍ରୀ ଷଡ଼ଙ୍ଗୀ ଆଜିର ସମୟରେ ବିଜୁଳି ଏକ ଅପରିହାର୍ଯ୍ୟ ଆବଶ୍ୟକତା ହୋଇ ପଡ଼ିଛି। ଅତୀତରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ସହ ଉପଭୋକ୍ତା ମାନଙ୍କ ସହ ସୁସମନ୍ୱୟ ଓ ସୁସମ୍ପର୍କ ରକ୍ଷା ଉପରେ ସେ ଗୁରୁତ୍ବ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ପୁରୀ ପୈାର ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ଓ ପୁରୀ ସଦର ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିବାକର ପାତ୍ର ଏଥିରେ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ସଚେତନ ହୋଇ ବିଜୁଳି ର ସୁରକ୍ଷା ଓ ସଦ ବ୍ୟବହାର ପାଇଁ  ଅନୁରୋଧ କରିଥିଲେ। ବିଦ୍ୟୁତ ବିଭାଗ ସଠିକ ସେବା ଯୋଗାଇବା ସହ ରକ୍ଷଣା ବେକ୍ଷଣ ଠିକ୍ ଭାବେ ସମ୍ପାଦନ କରିବା, ଉପଭୋକ୍ତା ମାନେ ସଠିକ ସମୟରେ ଦେୟ ପ୍ରଦାନ ଓ ସହଯୋଗ ପାଇଁ ଅନୁରୋଧ କରିଥିଲେ। ପାୱାର ଗ୍ରୀଡର ନିର୍ବାହୀ ନିର୍ଦେଶକ ଶ୍ରୀ ଆଲୋକ ଯୋଗ ଦେଇ ବିଦ୍ୟୁତ ର ସଦୁପଯୋଗ, ସୁରକ୍ଷା ଓ ବିଭାଗର ଦାୟିତ୍ବ ସମ୍ପର୍କରେ ଆଲୋଚନା କରିଥିଲେ।ଓପିଟିସିଏଲ ର ଜି ଏମ୍ ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ସ୍ୱାଧୀନତା ପରବର୍ତ୍ତୀ ସମୟରେ ବିଜୁଳି ର ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ।

 ସମଗ୍ର ଦେଶକୁ ଏକ ଗ୍ରୀଡ ଏକ ଫ୍ରିକୁ୍ୟନ୍ସି ସହ ସଂଯୋଗ କରି ୧.୬ ଲକ୍ଷ ସର୍କିଟ କିଲୋମିଟର ଟ୍ରାନ୍ସମିସନ ଲାଇନ ଯୋଗ କରାଯାଇଛି । ୨୦୧୮ ରେ ଶତକଡା ଶହେ ଭାଗ ଗ୍ରାମ୍ୟ ବିଦ୍ୟୁତିକରଣ ଓ ଘରୋଇ ବିଦ୍ୟୁତିକରଣ ହାସଲ କରାଯାଇଛି। ବ୍ୟବସ୍ଥା କୁ ସୁଦୃଢ ନିମନ୍ତେ ୨.୦୨ ଲକ୍ଷ କୋଟି ଟଙ୍କା ବିନିମୟରେ ଗ୍ରାମାଞ୍ଚଳରେ ୨୦୧୫ ରେ ଥିବା ୧୫ ଘଣ୍ଟା ବିଦ୍ୟୁତ ଯୋଗାଣ କୁ ବର୍ତ୍ତମାନ ହାରାହାରି ୨୨.୫ ଘଣ୍ଟା କୁ ବୃଦ୍ଧି କରାଯାଇଛି। ୧୬୯ ଗିଗା ୱାଟ ଉତ୍ପାଦନ କ୍ଷମତା ଯୋଡ଼ି ହୋଇ ଆମ ଦେଶକୁ ଶକ୍ତି ଅଭାବରୁ ଅତ୍ୟଧିକ ଶକ୍ତି ରେ ପରିଣତ କରିଛି ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ପାୱାର ଗ୍ରିଡର ଜି ଏମ୍ ଶ୍ରୀମତୀ ଶକୁନ୍ତଳା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପୁରୀ ଟିପିସିଓଡିଏଲ ର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଜ୍ୟୋତ ରଞ୍ଜନ ସ୍ୱାଇଁ ଓ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଏହି ଅବସରରେ ଉପଭୋକ୍ତା ମାନେ ବିଦ୍ୟୁତ ସଂସ୍କାର ସମ୍ପର୍କରେ ବିବିଧ ମତାମତ ପ୍ରଦାନ କରିଥିଲେ। ଶକ୍ତି କ୍ଷେତ୍ରରେ ସଚେତନତା ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର,ନୁକ୍କଡ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave A Reply

Your email address will not be published.