ବୁଗୁଡା- ବୁଗୁଡ଼ା ଥାନା ଅନ୍ତର୍ଗତ ବାଲିପଦର ଗ୍ରାମରେ ଜଣେ ବିବାହିତା ମହିଳା ବାପ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣାରେ ମହିଳାଙ୍କ ସ୍ୱାମୀ ବିରୁପାକ୍ଷ ମହାରଣାଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣା ପଡିଛି l ବାଲିପଦର ଶତପଥୀ କଲୋନୀର ସନ୍ୟାସୀ ମହାରଣାଙ୍କ ଝିଅ ରାଧାରାଣୀ ମହାରଣା(୨୨ )ଓରଫ୍ ମାମା ଗତକାଲି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ l ଦୁଇ ବର୍ଷ ତଳେ ରାଧାରାଣୀ (ମାମା) ଆସ୍କା କଲେଜ ଛକରେ ରହୁଥିବା ବିଜୟ ମହାରଣାଙ୍କ ପୁଅ ବିରୁପାକ୍ଷ ମହାରଣାଙ୍କୁ ବିବାହ କରିଥିବା ବେଳେ ବର୍ତ୍ତମାନ ତାଙ୍କର ବର୍ଷକର ଝିଅଟିଏ ଅଛି l ବିବାହ ପରଠାରୁ ଶାଶୁଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେଉଥିବାରୁ ବାହାଘର ପରଠାରୁ ମାମା ଅଧିକାଂଶ ସମୟରେ ବାପ ଘରକୁ ଚାଲି ଆସୁଥିଲେ ଏବଂ ଉଭୟ ପକ୍ଷ ପୁଣି ଆପୋଷ ଆଲୋଚନା ପରେ ଶାଶୁ ଘରକୁ ଫେରୁଥିଲେ l ତେବେ ପୁଣି ଝଗଡା କାରଣରୁ ମାମା ପ୍ରାୟ ୨୫ ଦିନ ହେଲା ବାପଘରେ ଆସି ରହୁଥିଲେ l ମଙ୍ଗଳବାର ସକାଳ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ସକାଳ ପ୍ରାୟ ୧୧ ସମୟରେ ମାମା ଉପର ମହଲାକୁ ଯାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରି ଦେଇଥିଲେ l ପରିବାର ଲୋକେ ତାଙ୍କୁ ତୁରନ୍ତ ବୁଗୁଡ଼ା ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ l ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ କେସ ୪୦୪/୨୨ ରେ ଏକ ମାମଲା ରୁଜୁ କରି ସ୍ୱାମୀ ବିରୁପାକ୍ଷକୁ ଅଟକ ରଖି ପଚରା ଉଚରା ଜାରି ରଖିଥିଲା l