ବୁଗୁଡ଼ା- ସାପ ଓ ବିଲୁଆ ମଧ୍ୟରେ ଲଢେଇରେ ଉଭୟଙ୍କ ପ୍ରାଣ ଯାଇଛି l ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଗୋଲିଆ ଗ୍ରାମ ଉପକଣ୍ଠସ୍ଥ ମୋହିଦଣ୍ଡା ଛକ ନିକଟରେ ମରି ପଡ଼ିଥିବା ବିଲୁଆ ଓ ବିରାଟକାୟ ସାପକୁ ଦେଖିବା ପାଇଁ ଆଜି ସକାଳୁ ସକାଳୁ ସେଠାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା l ଗତ ରାତିରେ ବଣିଆ ବିଲରେ ଏହି ସାପ ଓ ବିଲୁଆ ମଧ୍ୟରେ ପ୍ରବଳ ଲଢେଇ ହୋଇଥିବା ଏବଂ ସାପ କବଳରୁ ମୁକ୍ତ କରିବା ପାଇଁ ବିଲୁଆ ଦଳର ପ୍ରତି ଆକ୍ରମଣରେ ସାପ ଓ ଗୋଟିଏ ବିଲୁଆର ମୃତ୍ୟୁ ଘଟିଥିବା ଅନୁମାନ କରା ଯାଉଛି l ପାହାନ୍ତିଆ ସମୟରେ ସେପଟେ ଯାଉଥିବା ଲୋକେ ବଣିଆ ବିଲରେ ସାପ ବିଲୁଆ ମରି ପଡ଼ିଥିବା ଦେଖି ସେମାନଙ୍କୁ ମୋହିଦଣ୍ଡା ଛକ ପର୍ଯ୍ୟନ୍ତ ଘୋଷାଡ଼ି ଆଣି ରାସ୍ତା ଉପରେ ପକାଇଥିଲେ l ଏହାକୁ ଦେଖିବା ପାଇଁ ଗୋଲିଆ, ବାଦୁଆ ଓ ଚିରିକିପଡା ଆଦି ଗ୍ରାମର ଲୋକେ ରୁଣ୍ଡ ହୋଇଥିଲେ l ଶେଷରେ ଗ୍ରାମବାସୀମାନେ ଉଭୟ ମୃତ ଦେହକୁ କେନାଲ ନିକଟ ବିଲରେ ପୋତି ଦେଇଥିବା ଜଣା ପଡିଛି l ମୃତ ସାପଟିର ଲମ୍ବ ପ୍ରାୟ ୧୨ ଫୁଟ ହେବ l ଗାଁ ଲୋକେ ଏହାକୁ ଅର୍ଦଳୀ ସାପ ବୋଲି କହୁଥିବା ବେଳେ କେହି କେହି ଅହିରାଜ ବୋଲି କହୁଛନ୍ତି l ତେବେ ବୁଗୁଡ଼ା ବନ ବିଭାଗ ରେଞ୍ଜର ପ୍ରଦୀପ କୁମାର ମିଶ୍ରଙ୍କୁ ପଚାରିବାରେ ସାପଟି କେଉଁ ପ୍ରଜାତିର ସେ ଜାଣି ପାରୁନଥିବା କହିଥିବା ବେଳେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ଏହା ଏକ ଅହିରାଜ ସାପ ବୋଲି କହିଛନ୍ତି l