ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଅଲଣ୍ଡା ଗ୍ରାମରେ ଥିବା ଚୌଦ୍ଵାର ମହିମା ଆଶ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ସମାଜସେବୀ ତଥା ପ୍ରକୃତି ପ୍ରେମୀ ସାଇପ୍ରସାଦ ସାହୁଙ୍କ ନେତୃତ୍ୱରେ ଆଶ୍ରମ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଥିଲା । ଅତିଥି ଭାବେ ଆଶ୍ରମର ମୁଖ୍ୟ ସାଧୁ ପରମାନନ୍ଦ ଦାସ ଯୋଗ ଦେଇଥିଲେ। ଆଶ୍ରମର ଚତୁଃପାର୍ଶ୍ଵରେ ଫଳ ଉତ୍ପାଦନକାରୀ ବୃକ୍ଷ;ଆମ୍ବ,ପଣସ,କାଜୁ,ଅଁଳା ଆଦି ବିଭିନ୍ନ ପ୍ରଜାତିର ବୃକ୍ଷ ତଥା ଔଷଧୀୟ ଗଛ ଅନେକ ପ୍ରକାରର ଲଗାଯାଇଥିଲା। ବୃକ୍ଷରୋପଣ ସମୟରେ ପଣ୍ଡିରିପାଣି ଗ୍ରାମର ଚୂଡାମଣି ଗହିର ଗଛ ଲଗାଇବାରେ ସହଯୋଗ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଆଶ୍ରମର ସାଧୁ ଇନ୍ଦ୍ରମଣି ଦାସ,ଭକ୍ତ ବିଷ୍ଣୁ ରଣା,ଭକ୍ତ କୁଶଲ ରଣା, ସୋମନାଥ ତ୍ୟାଗୀ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ। ସମ୍ପ୍ରତି ବିଶ୍ଵ ଯେତେବେଳେ ଆଜି ମାନବସମାଜରେ ବିଭିନ୍ନ ନକରାତ୍ମକ କାର୍ଯ୍ୟକଳାପର ପରିମାଣରେ ବହୁବିଧ ପରିବେଶଜନିତ ଆହ୍ଵାନର ସମ୍ମୁଖୀନ ହେଉଛି ,ସେତେବେଳେ ଏସବୁ ସମସ୍ୟାର ଉପଯୁକ୍ତ ସମାଧାନର ପନ୍ଥା ହାସଲ ନିମନ୍ତେ ଆମ ପାଇଁ ସର୍ବୋତ୍ତମ ବିକଳ୍ପ ହେଉଛି ବୃହତ ବୃକ୍ଷରୋପଣ |ବ୍ୟାପକ ବୃକ୍ଷରୋପଣ ମାଧ୍ୟମରେ ସବୁଜିମା ଆବରଣକୁ ବୃଦ୍ଧି କରିବା ଦ୍ଵାରା ପ୍ରଦୂଷଣ ହ୍ରାସ ତାପମାତ୍ରା ନିୟନ୍ତ୍ରଣ,ଅଙ୍ଗାରକାମଳ ସଂରକ୍ଷଣ,ଜଳଚକ୍ର ଏବଂ ବର୍ଷାଜଳ ନିୟନ୍ତ୍ରଣ,ମୃତ୍ତୀକା ସଂରକ୍ଷଣ ଏବଂ ବିଭିନ୍ନ ପ୍ରକାରର ପ୍ରାଣୀମାନଙ୍କୁ ଆଶ୍ରୟ ଦେଇ ଜୈବବିଭିଦତାକୁ ସମୃଦ୍ଧ କରିବା ପରି ବହୁ ସକାରାତ୍ମକ କାର୍ଯ୍ୟ ସମ୍ପାଦିତ ହୋଇପାରିବ | ପରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଅବଗତ କରାଯାଇଥିଲା | ବର୍ତ୍ତମାନ ପରିସ୍ଥିତିରେ ପରିବେଶ ପ୍ରଦୂଷିତ ହେବାର କାରଣ ତଥା ଜଙ୍ଗଲ କ୍ଷୟ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ବୃଦ୍ଧି, ବର୍ଷାର ଅନିୟମିତତା ସଂପର୍କରେ ଅବଗତ କରାଇବା ସହ ଗ୍ଲୋବାଲ ୱାର୍ମିଂ ଓ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଶ୍ରୀ ସାହୁ ଉତ୍ସାହିତ କରିଥିଲେ |