ଛତ୍ରପୁର- ସମୁଦ୍ର ଯୋଗୁଁ ଜନଶୂନ୍ୟ ହୋଇଗଲା ପୂରା ଗାଁ । ଗାଁରେ ରହିଛି ବର୍ତ୍ତମାନ ମଧ୍ୟ ପ୍ରାୟ ୧୦୦ରୁ ଅଧିକ ଘର । କିନ୍ତୁ ସମୁଦ୍ର ଭୟରେ ନିଜ ଘରକୁ ଛାଡ଼ି ଗାଁରୁ ଅନ୍ୟ ଏକ ଗାଁକୁ ଚାଲିଯାଇଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକର ପୋଡ଼ମପେଟା ଗାଁରେ । ଦିନକୁ ଦିନ ସମୁଦ୍ର କୂଳ ଖାଇବା ପରେ ଗତ ଦୁଇ ମାସ ମଧ୍ୟରେ ପ୍ରାୟ ୧୦ରୁ ଅଧିକ ଘର ସମୁଦ୍ରରେ ଲୀନ ହୋଇଯାଇଥିଲା । ଯାହାଫଳରେ ସମୁଦ୍ରରେ ଏଭଳି କରାଳ ରୂପକୁ ଆଉ ସହି ନ ପାରି ବାଧ୍ୟ ହୋଇ ଗାଁ ଛାଡ଼ିଲେ ଗ୍ରାମବାସୀ । ବର୍ତ୍ତମାନ ପୋଡ଼ମପେଟା ଗାଁ ଏବେ ଖାଁ ଖାଁ ହୋଇପଡ଼ିଛି । ଗାଁକୁ ଛାଡ଼ି ଅନ୍ୟ ଏକ ଗାଁରେ ରହିଥିଲେ ସୁଦ୍ଧା ସେଠାରେ ଗ୍ରାମବାସୀଙ୍କ ନିମନ୍ତେ ସେଭଳି କୌଣସି ସୁବିଧା ନଥିବା ସତ୍ବେ ମଧ୍ୟ ସେଠି ରହିବାକୁ ସେମାନେ ବାଧ୍ୟ ହେଉଛନ୍ତି । ତେଣୁ ତୁରନ୍ତ ଗାଁ ନିକଟରେ ଯଦି ସିମେଣ୍ଟ ବନ୍ଧ ନ ବନ୍ଧା ହୁଏ ତେବେ ପାଣିବନ୍ଧ ପଞ୍ଚାୟତ ଉପରେ ରହିଛି ବଡ଼ ବିପଦ। ସେହି ଗାଁରେ ବସବାସ କରନ୍ତି ପ୍ରାୟ ୫୦୦ରୁ ଅଧିକ ଗ୍ରାମବାସୀ । ଦିନ ଥିଲା ଗାଁରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ରହିଥିଲା ସମୁଦ୍ର । କିନ୍ତୁ ସମୁଦ୍ରର ଅଶାନ୍ତ ହେବା ଫଳରେ ଧିରେ ଧିରେ ଗାଁ ମୁହାଁ ହେଲା ସମୁଦ୍ର । ପୂର୍ବରୁ ପ୍ରାୟ ୩ଟି ସାହିର ୩୦ରୁ ଅଧିକ ଘର ସମୁଦ୍ରର ଉଚ୍ଚ ଜୁଆରରେ ଭାସି ଯାଇ ନଷ୍ଟ ହୋଇଯାଇଥିଲା । ବର୍ତ୍ତମାନ ଗତ ଦୁଇ ମାସ ମଧ୍ୟରେ ଗାଁର ଆଉ ଦୁଇଟି ସାହି ସମୁଦ୍ରର ଜୁଆରରେ ଭାଙ୍ଗି ନଷ୍ଟ ହୋଇଯାଇଛି । ଯାହାଫଳରେ ଘରେ ରହିଥିବା ଅନେକ ଅସବାବପତ୍ର ମଧ୍ୟ ସମୁଦ୍ରରେ ଭାସିଯାଇଛି । ଗ୍ରାମବାସୀ ମାନେ ମତ୍ସ୍ୟଜୀବୀ ହେଉଥିବା ଯୋଗୁଁ ସମୁଦ୍ର କୂଳରେ ରହି ମାଛ ମାରି ନିଜର ଜୀବନ ଅତିବାହିତ କରୁଥିଲେ । କିନ୍ତୁ ଦିନକୁ ଦିନ ସମୁଦ୍ରର ଏଭଳି ଗାଁକୁ ଗ୍ରାସକୁ ଦୃଷ୍ଟିରେ ରଖି ଏବେ ଗାଁ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ଦିନ ଥିଲା ଏହି ଗାଁରେ ଆଖପାଖ ଅଞ୍ଚଳର ଲୋକେ ଗାଁକୁ ଆସି ମାଛ ବ୍ୟବସାୟ କରୁଥିଲେ । ଗାଁରେ ରହିଥିବା ମତ୍ସ୍ୟଜୀବୀ ମାନେ ମାଛ ଧରି ଆସିଲେ ଏହି ଗାଁରୁ ହିଁ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ମାଛ ବିକ୍ରି ନିମନ୍ତେ ଯିବାର । ମାଛ ବ୍ୟବସାୟ ଯୋଗୁଁ ପ୍ରତିଦିନ ଭୋରରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମାଛ କିଣାବିକା ନିମନ୍ତେ ଭିଡ଼ ଦେଖିବାକୁ ମିଳୁଥିଲା ଗାଁରେ । ବର୍ତ୍ତମାନ ଗାଁ ସମ୍ପୂର୍ଣ୍ଣ ରୂପେ ଶୂନଶାନ୍ । ଗାଁରେ ଅନେକ ଘର ଅଛି ସତ କିନ୍ତୁ ଗୋଟିଏ ଘରେ ବି ଜଣେ ହେଲେ ସଦସ୍ୟ ନାହାନ୍ତି । ସମୁଦ୍ରର ଭୟରେ ନିଜ ଘରକୁ ଛାଡ଼ିବାକୁ ବାଧ୍ୟ ହୋଇ ଅନ୍ୟ ଗାଁରେ ଯାଇ ରହୁଛନ୍ତି ପୋଡ଼ମପେଟା ଗାଁର ଗ୍ରାମବାସୀ ମାନେ ।ସମୁଦ୍ର ନିକଟରେ ରହିଛି ପାଳିବନ୍ଧ ପଞ୍ଚାୟତ । ପାଳିବନ୍ଧର ୮ଟି ଗାଁ ମଧ୍ୟରୁ ପୋଡ଼ମପେଟା, କଣ୍ଟିଆଗଡ଼, ପୁରୁଣାବନ୍ଧ ଓ ଗୋଖରକୁଦା ସମୁଦ୍ରକୁ ଲାଗି ରହିଛି । ବର୍ତ୍ତମାନ ସମୁଦ୍ରର କରାଳ ରୂପରେ ପୋଡ଼ମପେଟା ଗାଁ ସମ୍ପୂର୍ଣ୍ଣ ରୂପେ ସମୁଦ୍ରରେ ମିଶିବାକୁ ଯାଉଥିବା ବେଳେ ପାଳିବନ୍ଧର ଅନ୍ୟ ଗ୍ରାମବାସୀ ମାନେ ମଧ୍ୟ ଭୟଭୀତ । କାରଣ ପୋଡ଼ମପେଟାରେ ନିକଟରେ ଦୀର୍ଘ ବର୍ଷ ହେଲା ସମୁଦ୍ର କୂଳ ଖାଇ ଆସୁଛି । ଗୋଟିଏ ପରେ ଗୋଟିଏ ହୋଇ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ରୁ ଅଧିକ ସାହିର ୫୦ରୁ ଅଧିକ ଘର ସମୁଦ୍ରରେ ମିଶିଯାଇଥିବା ବେଳେ ସମୁଦ୍ର ଭୟରେ ଗ୍ରାମବାସୀ ମାନେ ମଧ୍ୟ ନିଜ ଘରକୁ ଛାଡ଼ି ଗାଁରୁ ବାହାରି ଯାଇଛନ୍ତି । ଗାଁ ନିକଟରେ ଏକ ସିମେଣ୍ଟ ବନ୍ଧ ବାନ୍ଧିବା ନେଇ ଗ୍ରାମବାସୀ ମାନେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା କହିଛନ୍ତି ପାଳିବନ୍ଧ ବାସିନ୍ଦା । ବର୍ତ୍ତମାନ ଧିରେ ଧିରେ ପୋଡ଼ମପେଟା ସମୁଦ୍ରରେ ମିଶିବାକୁ ଯାଉଥିବା ବେଳେ ତୁରନ୍ତ ସିମେଣ୍ଟବନ୍ଧ ବନ୍ଧାନଗଲେ ପାଳିବନ୍ଧର ଏଭଳି ଅନେକ ଗାଁ ସମୁଦ୍ରରେ ଲୀନ ହୋଇଯିବ ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ । ଗ୍ରାମବାସୀ ମାନେ ସମୁଦ୍ରରେ ମାଛ ମାରି ନିଜର ଜୀବନ ଅତିବାହିତ କରୁଥିବା ବେଳେ ସେମାନଙ୍କ ନିମନ୍ତେ ଅନ୍ୟ କୌଣସି କାର୍ଯ୍ୟ ଅସମ୍ଭବ । ତେଣୁ ମତ୍ସ୍ୟଜୀବୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ସିମେଣ୍ଟ ବନ୍ଧ ବାନ୍ଧିବା ଜରୁରୀ ବୋଲି ପାଳିବନ୍ଧ ବାସିନ୍ଦା କହିଛନ୍ତି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯଦି କୌଣସି ପଦକ୍ଷେପ ତୁରନ୍ତ ନ ନିଆଯାଏ ତେବେ ସମ୍ପୂର୍ଣ୍ଣ ପାଳିବନ୍ଧ ପଞ୍ଚାୟତ ଯେ ସମୁଦ୍ରରେ ମିଶିଯିବ ଏଥିରେ କୈାଣସି ସନ୍ଦେହ ନାହିଁ ।