ବୁଗୁଡ଼ା- ଡ୍ୟୁଟି ସମୟରେ ଡ୍ୟୁଟି ନ କରି ମଦ ପିଇ ରାସ୍ତାରେ ଗଡୁଛନ୍ତି ସରକାରୀ କର୍ମଚାରୀ l ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ସହରରେ l ଅଫିସ୍ ଆଓ୍ବାରରେ ଅଫିସ୍ ରେ ନରହି ଜନୈକ ସରକାରୀ କର୍ମଚାରୀ ରାସ୍ତାକଡରେ ମଦ ପିଇ ଅଚେତ ଅବସ୍ଥାରେ ପଡିରହିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କର୍ମଚାରୀ ଜଣକ ବୁଗୁଡ଼ା ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଫୁଲ ଚନ୍ଦ୍ର ସାହୁ ବୋଲି ଜଣାପଡିଛି । ଆଜି ପୂର୍ବାହ୍ନ ପ୍ରାୟ ଏଗାରଟା ସମୟରେ ପିଇଓ ମହାଶୟ ମୁଖ୍ୟ ସଡ଼କରେ ଚାଲି ଚାଲି ଆସୁଥିବା ବେଳେ ସ୍ଥାନୀୟ ଇଣ୍ଡିଆନ୍ ବ୍ଯାଙ୍କ ସମ୍ମୁଖରେ ହଠାତ୍ ଟଳି ପଡ଼ିଥିଲେ । କିଛି ଅସୁବିଧା ହେଲା ଭାବି ଆଖ ପାଖରେ ଥିବା ଲୋକେ ତାଙ୍କୁ ଉଠାଇ ରାସ୍ତାକଡକୁ ନେଇଥିଲେ । ତେବେ ତାଙ୍କ ପାଟିରୁ ମଦ ଗନ୍ଧ ବାହାରୁଥିବା ଏବଂ ସେ ଅଶ୍ରାବ୍ଯ ଭାଷାରେ ଗାଳି ଗୁଲଜ କରୁଥିବାରୁ ଏହା ନାଲି ପାଣିର କମାଲ ବୋଲି ଲୋକେ ଆଲୋଚନା କରୁଥିବା ବେଳେ ସତକୁ ସତ ବାବୁଙ୍କ ପ୍ଯାଣ୍ଟ୍ ପକେଟରୁ ମଦ ବୋତଲ ବାହାରିଥିଲା l ସାର୍ଟ ପକେଟରେ ଥିବା ମୋବାଇଲ କାଳେ କିଏ ନେଇଯିବ ଭାବି ଜଣେ ଲୋକ ତାହାକୁ ନେଇ ବ୍ଲକ୍ କାର୍ଯ୍ୟାଳୟରେ ଜିମା ଦେଇଥିଲେ । ରାସ୍ତା କଡରେ ପଡିରହିଥିବା ସରକାରୀ କର୍ମଚାରୀଙ୍କ ଏପରି ହାଲତ ଦେଖି ଲୋକ ଟାହି ଟାପରା କରିବାକୁ ବି ପଛାଇ ନଥିଲେ l ତେବେ କୌଣସି ସୂତ୍ରରୁ ଖବର ପାଇ ତାଙ୍କ ସ୍ତ୍ରୀ ଓ ପୁଅ ଖଲ୍ଲିକୋଟ ଅଞ୍ଚଳରୁ ଆସି ଅପରାହ୍ନରେ ଏକ ଅଟୋରେ ତାଙ୍କୁ ଉଠାଇ ନେଇଥିବା ଜଣା ପଡିଛି l ବାବୁଙ୍କ ମଦ ନିଶାରେ ଗଡୁଥିବା ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି l ବାବୁ ଜଣଙ୍କ ପୂର୍ବରୁ ବୁଗୁଡ଼ା ବ୍ଲକର ବିରଞ୍ଚିପୁର ପଞ୍ଚାୟତ ଦାୟିତ୍ୱରେ ଥିଲେ ତେବେ ଅଧିକାଂଶ ସମୟରେ କାର୍ଯ୍ୟାଳୟକୁ ନଯାଇ ନିଶାଗ୍ରସ୍ତ ଅବସ୍ଥାରେ ରହିବା କାରଣରୁ ତାଙ୍କୁ କିଛି ମାସ ହେଲା ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟକୁ ଅଣା ଯାଇଛି l ଏଭଳି କର୍ମ ବିମୁଖ ନିଶାଗ୍ରସ୍ତ ସରକାରୀ କର୍ମଚାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସର୍ବସାଧାରଣରେ ମତ ପ୍ରକାଶ ପାଇଛି ।