କାକଟପୁର- ମାନ୍ୟବର ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରାଙ୍କ ଦ୍ଵାରା ଆଜି ଚେସ ପୁସ୍ତକ ‘ସତରଞ୍ଜ: ବୁଦ୍ଧିର ବିକାଶ’ ଉନ୍ମୋଚିତ ହୋଇଯାଇଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ବିଶିକେଶନ ଦେହୁରୀଙ୍କ ଦ୍ଵାରା ରଚିତ ଏହି ପୁସ୍ତକକୁ ମନ୍ତ୍ରୀ ଶ୍ରୀ ବେହେରା ଉନ୍ମୋଚନ କରି କହିଲେ ଯେ ବର୍ତ୍ତମାନ ବିଭିନ୍ନ ଖେଳ ସହିତ ଚେସ ଖେଳ ପ୍ରତି ଯୁବବର୍ଗଙ୍କ ଆଗ୍ରହ ବୃଦ୍ଧି ପାଇଛି । ଏହି ଦୃଷ୍ଟିରୁ ଚେସ ଖେଳ ପ୍ରତି ରୁଚି ରଖୁଥୁବା ଛାତ୍ରଛାତ୍ରୀ ତଥା ସବୁ ବର୍ଗର ଲୋକଙ୍କ ପାଇଁ ଏହି ପୁସ୍ତକ ବେଶ ଉପାଦେୟ ସାବ୍ୟସ୍ତ ହେବ।ସେହିପରି ଲେଖକ ଶ୍ରୀ ବିଶିକେଶନ ଦେହୁରୀ କହିଲେ ଯେ ଛାତ୍ର ଅବସ୍ଥାରୁ ସତରଞ୍ଜ ଖେଳ ଅଭ୍ୟାସ ମାନସିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଫଳରେ ଏହା ସେମାନଙ୍କ ପାଠପଢ଼ାରେ ଉନ୍ନତି ଆଣିଥାଏ ଏବଂ ଭଲ ପ୍ରଦର୍ଶନ କରିବାରେ ମଧ୍ୟ ସହାୟକ ହୋଇଥାଏ । ଏକ ପ୍ରକାର କହିବାକୁ ଗଲେ ଚେସ୍ ଖେଳ ସମସ୍ତଙ୍କ ନିମନ୍ତେ ଏକ ଉତ୍ତମ ମଣିଷ ହେବାର ପଥ ପରିଷ୍କାର କରେ। ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଅନ୍ୟତମ ଅତିଥି ଭାବରେ ୱେୟାର ହାଉସିଂର ପରିଚାଳନା ନିର୍ଦେଶକ ଶ୍ରୀ ଗଣେଶ୍ଵର ଜେନା , ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ , କ୍ରୀଡ଼ା ବିଭାଗ ଯୁଗ୍ମ ଶାସନ ସଚିବ ତଥା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ କୈଳାଶ ଚନ୍ଦ୍ର ଦାସ , ‘ପକ୍ଷୀଘର’ ପ୍ରକାଶନୀର ପ୍ରକାଶକ ଶ୍ରୀ ବନୋଜ ତ୍ରିପାଠୀ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ଅମିତାଭ ସାହୁ ଯୋଗଦେଇ ଚେସ୍ ଖେଳ ଓ ଏହି ପୁସ୍ତକର ଉପାଦେୟତା ସମ୍ପର୍କରେ ନିଜର ମତ ରଖିଥିଲେ ।
ସୂଚନାଯୋଗ୍ୟ ଯେ ଏହି ପୁସ୍ତକରେ ସତରଞ୍ଜର ଉପକାର- ଅପକାର , ଉତ୍ପତ୍ତି , ଖେଳ ଶିଖିବାର ସହଜ ପ୍ରଣାଳୀ ଆଦି ବଷୟ ବର୍ଣ୍ଣନା କରାଯାଇଛି । ବିଭିନ୍ନ ଖେଳାଳିମାନଙ୍କର ଜୀବନୀ , ସେମାନଙ୍କ ଖେଳ ସମ୍ପର୍କରେ ବିସ୍ତୃତ ଲେଖା ମଧ୍ୟ ଏହି ପୁସ୍ତକରେ ସ୍ଥାନ ପାଇଛି।