ପୁରୁଷୋତ୍ତମପୁର- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ସୁନାଥର ଓ ଷୋଳଘର ପଞ୍ଚାୟତ ଦାୟିତ୍ବରେ ଥିବା ଗ୍ରାମ ରୋଜଗାର ସେବକ ନିଖୋଜ। ଜିଆରଏସ୍ ସ୍ବାଗତ ପଣ୍ଡା ସୋମବାର ରାତି ଠାରୁ ନିଖୋଜ ଥିବାବେଳେ ଏଯାଏଁ କୌଣସି ପତ୍ତା ମିଳୁନି। ପୁରୁଷୋତ୍ତମପୁର କଂସାରୀ ସାହିରେ ଘର ଭଡା କରି ରହୁଥିବା ସ୍ୱାଗତ ପଣ୍ଡା ଗତ ସୋମବାର ରାତ୍ରି ସାଢ଼େ ୯ ଟାରେ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କରିଥିଲେ। ବିଡ଼ିଓ ଙ୍କ ପାଖରୁ ଆସୁଛି କହି ବିଡ଼ିଓ ଙ୍କୁ ଫୋନକରି କାଟି ଦେଇଥିଲେ |ପରେ ବିଡ଼ିଓ ଙ୍କ ଫୋନ ଉଠାଇ ମୁଁ କୁଆଡେ ଚାଲିଯିବି କହି ଫୋନ ବନ୍ଦ କରିଦେଇଥିଲେ | ବିଡ଼ିଓ କିଛି କର୍ମଚାରୀଙ୍କୁ ଡ଼ାକି ସହର ସାରା ଖୋଜିଥିଲେ ହେଲେ ସ୍ୱାଗତଙ୍କୁ ପାଇ ନଥିଲେ | ଘଟଣା ଗତକାଲି ଠାରୁ ଅଞ୍ଚଳରେ ଚହଳ ପକାଇ ଦେଇଛି। ତେବେ ତାପର ଦିନ ଅର୍ଥାତ୍ ମଂଗଳବାର ସକାଳେ ପାଣ୍ଡିଆ ଛକରୁ ତାକଂ ବାଇକ୍ ର ସନ୍ଧାନ ମିଳିଥିଲା। ତାଙ୍କ ମୋବାଇଲ ଫୋନ ଟି ପଡିଥିବା ନେଇ ହାଡ଼ିସାହିର ଜଣେ ବ୍ୟକ୍ତି ଏହି ଖବର ଶୁଣି ତାଙ୍କ ମୋବାଇଲ ଟି ଫେରାଇ ଥିଲେ |
ମଙ୍ଗଳବାର ତାଙ୍କ ସ୍ତ୍ରୀ ଲିଜା ପଣ୍ଡା ସ୍ୱାମୀ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ତେବେ ସୁନାଥର ପଞ୍ଚାୟତର ସରପଞ୍ଚ ଓ କିଛି ଗ୍ରାମବାସୀ, ଏବଂ ପୋଲିସ କର୍ମଚାରୀଙ୍କ ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ଏଯାବତ୍ ମିଳି ନଥିବା ଜଣାପଡ଼ିଛି।
ତେବେ ଜିଆରଏସ୍ ସ୍ୱାଗତ ପଣ୍ଡାଙ୍କ ନିଖୋଜ ଘଟଣା ଏବେ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି।
ଘରେ କୌଣସି ପ୍ରକାର ଅସନ୍ତୋଷ, କଳି ଝଗଡା ନାହିଁ ଏବଂ ସେ କୌଣସି ମାନସିକ ଚାପରେ ଥିବା ମଧ୍ୟ କେବେ କହି ନଥିବା ତାଙ୍କ ସ୍ତ୍ରୀ କହିଛନ୍ତି। ସେ ନିଜ ଇଚ୍ଛାରେ କେଉଁଆଡ଼େ ଚାଲି ଯାଇଛନ୍ତି ନା ତାଙ୍କୁ କେହି ଅପହରଣ କରି ନେଇଛି। ନା ଆଉ କିଛି କାରଣ ରହିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ପୁରୁଷୋତ୍ତମପୁର ସହରର ସିସିଟିଭି ଫୁଟେଜରୁ ସେ ପାଣ୍ଡିଆ ବ୍ରିଜ ପର୍ଯ୍ୟନ୍ତ ଚାଲି ଚାଲି ଯିବାର ଜଣା ପଡିଥିବା ପୋଲିସ କହିଛି। ତେବେ ପୁରା ଘଟଣା ଏବେ ବି ରହସ୍ୟମୟ ହୋଇ ରହିଛି।