ବଙ୍ଗୋମୁଣ୍ଡା- ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ମନରେଗା ଯୋଜନାରେ କାମ କରିଥିବା ଶ୍ରମିକ ମାନଙ୍କ ନାଁରେ ମଜୁରୀ ଟଙ୍କା ମିଳୁନଥିବା ଅଭିଯୋଗ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉଥିବାରୁ ଜବକାର୍ଡଧାରୀ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ଦାଦନ ରୋକିବା ସହିତ ନିଜ ନିଜର ଗ୍ରାମରେ ଶ୍ରମିକ ମାନଙ୍କୁ କାମ ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ମନରେଗା ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଏହି ଯୋଜନା ଦିଗହରା ହେଉଛି । ବଙ୍ଗୋମୁଣ୍ଡା ବ୍ଲକର କଁସିଲ ପଞ୍ଚାୟତର ଡୁମେରମୁଣ୍ଡା ଗ୍ରାମର ଶ୍ରମିକ ମାନେ ମାମିକାମ କରିଥିଲେ ।ମାମିକାମ କରିବାର ତିନି ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ତାଙ୍କ ପାରିଶ୍ରମିକ ମଜୁରୀ ଟଙ୍କା ମିଳୁନାହିଁ ।ମଜୁରୀ ତୁରନ୍ତ ପ୍ରଦାନ କରିବା ଦାବି ନେଇ ବ୍ଲକର ଦ୍ୱାରସ୍ଥ ହୋଇ ବିଡ଼ିଓଙ୍କୁ ମଜୁରୀ ପ୍ରଦାନ କରିବା ପାଇଁ ଗୁହାରୀ କରିଥିଲେ ।୧୪ ଦିନରେ ଶ୍ରମିକ ମାନଙ୍କୁ ମଜୁରୀ ଟଙ୍କା ପ୍ରଦାନକରିବାର ନିୟମ ରହିଥିଲେ ସୁଦ୍ଧା ମାସ ମାସ ବିତିଯାଇଥିଲେ ସୁଦ୍ଧା ଶ୍ରମିକ ମାନଙ୍କ ପାରିଶ୍ରମିକ ମିଲୁନାହିଁ । ମନରେଗା କାମ କରିଥିବା ଶ୍ରମିକ ତିଲେରାମ କାଣ୍ଡ, ପରମାନନ୍ଦ ଭୋଇ, ନୀଳ ତାଣ୍ଡି, ବସନ୍ତ ଭରାସଗ୍ରିଆ, ଲିଙ୍ଗରାଜ କାଣ୍ଡ, ଭୁଜ ଭରାସଗ୍ରିଆ, ଧର୍ମୁ ମାଝୀ, ବାଲ କାଣ୍ଡ, ପ୍ରଭୁଜିତ ଭୋଇ, ଲୋକନାଥ କାଣ୍ଡ, ଜପ ଭରାସଗ୍ରିଆ ପ୍ରମୁଖ ଜବକାର୍ଡଧାରୀ ଶ୍ରମିକ ମାନେ ବ୍ଲକର ଦ୍ୱାରସ୍ଥ ହୋଇଥିଲେ । ମଜୁରୀ ଶିଘ୍ର ପ୍ରଦାନ କରାନଗଲେ ଆସନ୍ତା ଦିନରେ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି । ଅନ୍ୟ ପକ୍ଷରେ ଏହି ଶ୍ରମିକମାନଙ୍କ ମତଦାନ ନେଇ ନିର୍ବାଚିତ ହୋଇଥିବା ଲୋକ ପ୍ରତିନିଧି ମାନଙ୍କ ପାଇଁ ଏହା ଏକ ଲଜ୍ଜାଜନକ ବିଷୟ ଯେ ଏମାନେ ହାଡ଼ ଭଙ୍ଗା ପରିଶ୍ରମ କରି ନିଜ ପାରିଶ୍ରମିକ ପାଇଁ ବରା ଦୁଆର ହେଉଛନ୍ତି