ଧାମନଗର- ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଧାମନଗର ବନ୍ୟାଞ୍ଚଳ ପରିଦର୍ଶନ ଓ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ଅଧିକାରୀ ମାନଙ୍କ ସହ କଲେ ସମୀକ୍ଷା ବୈଠକ। ଉପର ମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ଧାମନଗରର ଦୁଃଖ ବୈତରଣୀ ନଦୀର ମଲ୍ଲି ମାହାରା ଓ ଗୌରାଙ୍ଗପୁର୍ ଏସ୍ କେଫ୍ ଦେଇ ବନ୍ୟାଜଳ ପ୍ରବାହିତ ହେତୁ ବ୍ଲକ ଅଞ୍ଚଳର ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ପଞ୍ଚାୟତରେ ବନ୍ୟା ସ୍ଥିତି ଦେଖା ଦେଇଥିଲା। ଏବେ ସ୍ଥିତିର ସୁଧାର ଆସିଥିଲେ ମଧ୍ୟ ଚାଷୀଙ୍କ ଦୁର୍ଦ୍ଦଶା ବଢିଥିଲା। ଧାନତଳି ଓ ରୁଆ ଜମିରେ ବଢ଼ି ପାଣି ପ୍ରଭୂତ କ୍ଷତି କରିଥିଲା। ଏପରି ସ୍ଥଳେ ପୁଣି ଏକ ଲଘୁଚାପ ଓ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଥିଲେ ମଧ୍ୟ ସେ ବିପଦ ଟଳି ଯାଇଥିଲା। ମାତ୍ର ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରବିବାର ସକାଳ ଠାରୁ ଜଳସ୍ତର ବୃଦ୍ଧି ପାଇ ବିପଦ ସଂକେତ ଅତିକ୍ରମ କରିଛି। ରବିବାର ସନ୍ଧ୍ୟା ସୁଦ୍ଧା ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୭ ମିଟର କୁ ଅତିକ୍ରମ କରି ଜଳସ୍ତର ୧୯.୦୧ ରେ ପହଞ୍ଚିଛି। ନଦୀର ଜଳସ୍ତର ବୃଦ୍ଧି ହେତୁ ଉଦ୍ ବୃତ ବନ୍ୟାଜଳ ବିଭିନ୍ନ ଏସ କେଫ ଦେଇ ଗାଁ ଗଣ୍ଡା ଓ ଚାଷ ଜମିରେ ପ୍ରବେଶ କରୁଛି। ଯାହାଫଳରେ ଧାମନଗର ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଦ୍ଵିତୀୟ ବନ୍ୟା ଦେଖା ଦେଇଛି। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର୍ ଆନନ୍ଦପୁର ଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ ଧାମନଗର ବ୍ଲକ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି। ବନ୍ୟା ସ୍ଥିତି ପାଇଁ ଓଡ୍ରାଫ୍ଟ ଟିମ୍ ସଜାଗ ଥିବା ସହ ଗୋଖାଦ୍ୟ ଓ ରିଲିଫ ମହଜୁଦ ରଖାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ଏହି ସମୀକ୍ଷା ବୈଠକରେ ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଗାଚରଣ ମୁର୍ମୁ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଏବିଡିଓ ଶର୍ମିଷ୍ଠା ମଲ୍ଲିକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ସାରଦା ପ୍ରସନ୍ନ ସାହୁ, ଏନ୍ ଏ ସି ବିଜେଡି ସଭାପତି ସୁଶାନ୍ତ କୁମାର ରାଉତ୍ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ଜିଲ୍ଲାପାଳ ଆସନ୍ନ ବନ୍ୟା ସ୍ଥିତି ପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।