ଏପ୍ରକାର ମୃତ୍ୟୁ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲା ବିଜେପି

ବାରିପଦା- ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାକୁ ରାଜ୍ୟ ସରକାର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ବିଫଳ ବୋଲି ଅଭିଯୋଗ କରିଛି ମୟୂରଭଞ୍ଜ ଜିଲ୍ଲା ବିଜେପି।ଯାହାକୁ ନେଇ ବାରିପଦା ସ୍ଥିତ ବାଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ  ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଓ କାନ୍ଥ ପଡି ୬ଜଣଙ୍କର ମୃତ୍ୟୁ ହେବାପରି ଅଭାବନୀୟ ଘଟଣା ପାଇଁ ସମ୍ପୂର୍ଣ୍ଣ ଭାବେ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ଦାୟୀ ବୋଲି ବିଜେପି ନେତୃବୃନ୍ଦ ମାନେ ମତ ରଖିବା ସହ ରାଜ୍ୟସରକାରଙ୍କ ଉପରେ ବର୍ଷିଥିଲେ । ରାଜ୍ୟସରକାରଙ୍କ ସଠିକ୍ ପ୍ରସ୍ତୁତି ଅଭାବ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫ଜଣ ନାବାଳକ ଓ ନାବଳିକାଙ୍କ ସହ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାକୁ ଦୃଢନିନ୍ଦା କରିବା ସହ ଏଥିରେ ସମ୍ପୂର୍ଣ୍ଣ ଭାବରେ ରାଜ୍ୟସରକାର ଦାୟୀ ବୋଲି ମତ ରଖିଥିଲେ । ମୟୂରଭଞ୍ଜ ଜିଲ୍ଲାରେ ଜାଗା ମିଶନ୍ ଫେଲ ମାରିଛି ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜିଲ୍ଲାରେ ଏକଲକ୍ଷ ୪୭ହଜାର ଜଣଙ୍କୁ ଗୃହ ମିଳିଥିବାବେଳେ ସଠିକ୍ ହିତାଧିକାରୀ ମାନେ ଏଥିରୁ ବଞ୍ଚିତ ହୋଇଛନ୍ତି, ଫଳରେ ଏଭଳି ଅଘଟଣ ଘଟିଛି । ତେଣୁ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ଘର ବଣ୍ଟନ କରିବାକୁ ବିଜେପି ପକ୍ଷରୁ ଦାବି କରିବା ସହ ଜିଲ୍ଲାପ୍ରଶାସନ ଅଧିକାରୀମାନେ ଅର୍ଥ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏପରିକି ଦେଓ ଇରିଗେସନ୍ ପ୍ରୋଜେକ୍ଟର ସଠିକ୍ କାର୍ଯ୍ୟକାରୀ ଅଭାବରୁ ପାଟୁଡି ଗ୍ରାମର ଲୋକେ ୫ଦିନ ଧରି ଜଳବନ୍ଦୀରେ ରହିଥିଲେ ଓ ବାଙ୍କବାହାଳ ଡ୍ୟାମ୍‌ର ଭୋଳାଗଡା ଗ୍ରାମର ମଧ୍ୟ ଲୋକେ ଜଳବନ୍ଦୀରେ ରହିଥିଲେ । ପାଣିପାଗର ପୂର୍ବାନୁମାନ ସର୍ତ୍ତେ ଲଗାଣ ବର୍ଷା ପାଇଁ ଜିଲ୍ଲାପ୍ରଶାସନର ସଠିକ୍ ପ୍ରସ୍ତୁତି ନଥିବା ଯୋଗୁଁ ଏଭଳି ଘଟଣା ଘଟିଗଲା । ତେଣୁ ଶିଶୁ ହତ୍ୟାକାରୀ ଏହି ରାଜ୍ୟସରକାରଙ୍କ ବିରୋଧରେ ବିଜେପି ପକ୍ଷରୁ ୩୦୭ରେ କେସ୍ ରୁଜୁ କରିବା ପାଇଁ ବିଜେପି ପକ୍ଷରୁ ନିଷ୍ପତ୍ତି ହୋଇଥିବା ସମ୍ବନ୍ଧରେ ସୂଚନା ଦିଆଯାଇଥିଲା । ଆଗାମୀ ଦିନରେ ଏହି ଘଟଣାକୁ ରାଜ୍ୟସରକାରଙ୍କ ବିରୋଧରେ ବିଜେପି ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀ ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍‌ଙ୍କ ସଭାପତିତ୍ୱରେ ବିଜେପିର ରାଜ୍ୟ ଉପସଭାପତି ତଥା ଉଦଳା ବିଧାୟକ ଭାସ୍କର ମଢେଇ, ବାରିପଦା ବିଧାୟକ ପ୍ରକାଶ ସୋରେନ୍‌, ବିଜେପି ରାଜ୍ୟ ସହରାଞ୍ଚଳ କମିଟି ସଂଯୋଜକ କୃଷ୍ଣଚନ୍ଦ୍ର ମହାପାତ୍ର ଓ ପୂର୍ବତନ ଜିଲ୍ଲା ସଭାପତି ନିହାର ମୋଦି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.