ବୃଦ୍ଧାଶ୍ରମ ରେ ବଦାନ୍ୟ ବନ୍ଧୁ ପକ୍ଷରୁ ନୂଆଁଖାଇ ସାମଗ୍ରୀ ବଣ୍ଟନ

ବରଗଡ- ମହାପ୍ରଭୁ ନୃସିଂହନାଥ ତଥା ଇଷ୍ଟଦେବୀ ସମଲେଶ୍ବରୀ ଙ୍କ ପୀଠରେ କୃଷି ଭିତ୍ତିକ ପର୍ବ ନୂଆଁଖାଇ ଲଗ୍ନ ଇତିମଧ୍ୟରେ ଧାର୍ଯ୍ୟ ହୋଇସାରିଛି। ଲଗ୍ନ ନିର୍ଦ୍ଧାରିତ ହେବାପରେ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ। ଦୋକାନ ବଜାର ଠାରୁ ଆରମ୍ଭ କରି ସବୁଠାରେ ବର୍ତ୍ତମାନ ଗହଳି ଦେଖିବାକୁ ମିଳୁଛି। ଦୀର୍ଘ ଦୁଇବର୍ଷ ର କୋଭିଡ କଟକଣା ପରେ ଚଳିତ ବର୍ଷ ପୁଣିଥରେ ଉତ୍ସାହ ଉଦ୍ଦୀପନା ସହିତ ସମସ୍ତେ ନବାନ୍ନ ଭକ୍ଷଣ କରିବେ ସେଥିପାଇଁ ଜନସାଧାରଣ ବେଶ ଆନନ୍ଦିତ ଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହିସବୁ ଭିତରେ ସମାଜରୁ ଅବହେଳିତ ନିଷ୍ପେସିତ ହୋଇ ବିଭିନ୍ନ ବୃଦ୍ଧାଶ୍ରମ ରେ ରହୁଥିବା ଅନ୍ତେବାସୀ ମାନଙ୍କ ପାଇଁ ଏହି ଉତ୍ସବ ସ୍ବପ୍ନ କହିଲେ ଅତ୍ୟୁକ୍ତି ହେବନାହିଁ। ଏହାକୁ ହୃଦୟଙ୍ଗମ କରିଛି ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବଦାନ୍ୟ ବନ୍ଧୁ। ବଦାନ୍ୟ ବନ୍ଧୁ ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୂଆଁଖାଇ ପୂର୍ବରୁ ଶ୍ରୀ ଶ୍ରୀ ନୃସିଂହ ନାଥ ବୃଦ୍ଧାଶ୍ରମ ଅନ୍ତେବାସୀ ମାନେ କିପରି ନୂଆଁଖାଇ ପାଳନ କରିବେ ସେଥିପାଇଁ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଇଛି। ବିଶେଷକରି ମହିଳା ଅନ୍ତେବାସୀ ମାନଙ୍କ ପାଇଁ ଉନ୍ନତ ମାନର ଶାଢ଼ୀ, ପୁରୁଷ ଅନ୍ତେବାସୀ ମାନଙ୍କ ପାଇଁ ଧୋତି ଗାମୁଛା ତଥା ଅରୁଆ ଚାଉଳ, ଚିନି,ଗୁଡ଼, ତେଲ, ଲୁଣ,ଆଲୁ, ଗୁଡ଼,ମୁଗ ବିଭିନ୍ନ ପନିପରିବା ଇତ୍ୟାଦି ପ୍ରଦାନ କରାଯାଇଛି। ବଦାନ୍ୟ ବନ୍ଧୁ ଅନୁଷ୍ଠାନ ର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆଙ୍କ ସହିତ କୁନୁ ତ୍ରିପାଠୀ, ସାମ୍ବାଦିକ ନିରୋଜ ପାଣି,  ଯୋଗେନ୍ଦ୍ର ଭୋଇ, ଦେବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଅନ୍ତେବାସୀ ମାନଙ୍କୁ ସମସ୍ତ ସାମଗ୍ରୀ ପ୍ରଦାନ କରିଥିଲେ। ଏହି ସାମଗ୍ରୀ ସବୁ ପାଇବା ପରେ ଅନ୍ତେବାସୀ ମାନେ ଖୁସି ବ୍ୟକ୍ତ କରିବା ସହିତ ଶ୍ରୀ ବିର୍ତ୍ତିଆ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.