ଅନ୍ତିମ ସଂସ୍କାର ବେଳେ ପ୍ରେମିକ ସହ ଫେରାର ହୋଇଗଲା ସ୍ତ୍ରୀ

କେନ୍ଦ୍ରାପଡ଼ା- ଜନ୍ମ ଜନ୍ମାନ୍ତର ପାଇଁ ପାଇଁ କଥା ଦେଇଥିଲେ ସାଥି ହୋଇ ରହିବା ପାଇଁ ହେଲେ ଗୋଟିଏ ଜନ୍ମରେ ହିଁ ପର କରିଦେଲା ଅର୍ଦ୍ଧାଙ୍ଗିନୀ ।ପରକୀୟା ପ୍ରୀତିରୁ ସ୍ବାମୀଙ୍କୁ ହତ୍ୟା ଅଭିଯୋଗ ହେବା ପରେ ପ୍ରେମିକ ସହ ଛୁ ମାରିଛି ବିଧବା ପତ୍ନୀ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡା ରାଜକନିକା ଥାନା ସିହୋପଡା ପଞ୍ଚାୟତ ଭାମଣ୍ଡା ଗାଁରୁ । ଦୁଇ ଝିଅ ଓ ଶାଶୂଘର ଲୋକଙ୍କୁ ଛାଡ଼ି ମହିଳା ଜଣକ ପ୍ରେମିକ ସହ ଫେରାର ହୋଇଥିବା ଜଣାପଡ଼ିଛି ।ଗାଁର ନୃସିଂହନାଥ ମନ୍ଦିରର ପୂଜକ ରଙ୍ଗାଧର ଦାଶ ଗତ ଅଗଷ୍ଟ ୧୭ ତାରିଖରୁ ହଠାତ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ସ୍ବାମୀଙ୍କ ନିଖୋଜ ନେଇ ପ୍ରଥମେ କିଛି ପ୍ରତିକ୍ରିୟା ରଖିନଥିବା ରଙ୍ଗାଧରଙ୍କ ପତ୍ନୀ ଘଟଣାର ୨ଦିନ ପରେ ରାଜକନିକା ଥାନାରେ ଏତଲା ଦେଇଥିଲେ । ଏହାପରେ ରଙ୍ଗାଧରଙ୍କ ଭାଇ ଗଙ୍ଗାଧର ନିଜ ଭାଇବୋହୂର ଆଚରଣ ଉପରେ ସନ୍ଦେହ କରି ଭାଇର ନିଖୋଜ ସମ୍ପର୍କରେ ଆଉ ଏକ ଏତଲା ଦେଇଥିଲେ। ତେବେ ଗୋଟିଏ ଘଟଣା ଉପରେ ମାତ୍ର ଗୋଟିଏ ଏତଲା ହୋଇପାରିବ ବୋଲି ପୋଲିସ କହିବାରୁ ସ୍ତ୍ରୀ ରତ୍ନମଣୀଙ୍କ ଏତଲାକୁ କାଏମ କରିଥିଲା ରାଜକନିକା ପୋଲିସ।ତେବେ ପୋଲିସରେ ହୋଇଥିବା ଦୁଇଟି ଏତଲାରେ ରଙ୍ଗାଧରଙ୍କ ପତ୍ନୀ ସ୍ବାମୀ କେଉଁଆଡ଼େ ନିଖୋଜ ହୋଇଯାଇଥିବା ଲେଖିଥିବା ବେଳେ ଭାଇ ଗଙ୍ଗାଧର ସାନଭାଇ ରଙ୍ଗାଧର ସହ ଭାଇବୋହୂ ରତ୍ନମଣୀର ଅନ୍ୟ ଏକ ଯୁବକ ସହ ସମ୍ପର୍କକୁ ନେଇ ବିଭିନ୍ନ ସମୟରେ ଝଗଡ଼ା ଲାଗି ରହୁଥିଲା ଏବଂ ତାଙ୍କ ଭାଇ ନିଖୋଜ ହେବା ଘଟଣାରେ ଏହି ଦୁଇଜଣଙ୍କ ହାତ ରହିଥିବା ନେଇ ଏତଲାରେ ଦର୍ଶାଇଥିଲେ।

ତେବେ ଗତ ୨୧ ତାରିଖ ଦିନ ରଙ୍ଗାଧରଙ୍କ ମୃତଦେହ ସନ୍ଦେହଜନକ ଭାବେ ମିଳିବା ପରେ ଏହାଏକ ହତ୍ୟାକାଣ୍ଡ ଓ ଏହି ହତ୍ୟାକାଣ୍ଡରେ ଏହି ପ୍ରେମୀଯୁଗଳ ସାମିଲ ଥିବା ନେଇ ଅଭିଯୋଗ କରିଛନ୍ତି ରଙ୍ଗାଧରଙ୍କ ଦୁଇଝିଅ । କେବଳ ପରିବାର ନୁହେଁ ଗାଁ ଲୋକଙ୍କ କହିବା ଅନୁଯାୟୀ, ରତ୍ନମଣି ଓ ତାଙ୍କ ପ୍ରେମିକଙ୍କ ଅବୈଧ ସମ୍ପର୍କକୁ ନେଇ ବହୁବାର ବାଦବିବାଦ ଦେଖାଯାଇଛି ଓ ଗାଁ ଲୋକେ ବସି ଉଭୟ ପ୍ରେମୀଯୁଗଳଙ୍କୁ ବୁଝାଇ ସ୍ତ୍ରୀଙ୍କୁ ତାଗିଦ ଓ ପ୍ରେମିକ ଅସିତକୁ ରଙ୍ଗାଧରଙ୍କ ଘରକୁ ନ ଆସିବା ପାଇଁ ବାରଣ କରାଯାଇଥିଲା ।

ପ୍ରେମୀଯୁଗଳ ସେମାନଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ସ୍ବୀକାର କରିଥିଲେ ସୁଦ୍ଧା ଏହି ହତ୍ୟା ପଛରେ ସେମାନଙ୍କ ଭୂମିକା ନଥିବା କହିଛନ୍ତି । ଅନ୍ୟପଟେ ଅସିତ ଜଣେ ମେଡ଼ିସିନ ରିପ୍ରେଜେଣ୍ଟଟିଭ ଭାବେ କାମ କରୁଥିବା ବେଳେ ମହିଳା ଜଣକ ପୁଅକୁ ଫସାଇ ଏଭଳି କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି ଅସିତଙ୍କ ପରିବାର ଲୋକେ । ପୋଲିସ ପକ୍ଷରୁ ଏନେଇ ୨୮/୨୨ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ତେବେ ଜଣେ ୪୦ବର୍ଷରୁ ଊର୍ଦ୍ଧ୍ବ ବୟସର ସ୍ତ୍ରୀ ନିଜର ଦୁଇଝିଅ ଓ ଦୁଇପୁଅକୁ ପର କରି ପ୍ରେମିକ ସହ ଚାଲିଯିବା ସମସ୍ତ ସଭ୍ୟ ସମାଜକୁ ଆଶ୍ଚର୍ଯ୍ୟ କରିଛି । ହିନ୍ଦୁ ରୀତିନୀତି ଅନୁଯାୟୀ ସ୍ବାମୀ ମୃତ୍ୟୁରେ ସ୍ତ୍ରୀ ଶଙ୍ଖାସିନ୍ଦୁର ପୋଛିବା ପାଇଁ ନିୟମ ରହିଥିବା ବେଳେ ସ୍ବାମୀର ଅନ୍ତିମ ସଂସ୍କାର ଚାଲିଥିବା ବେଳେ ପତ୍ନୀ ପ୍ରେମିକ ସହ ଚାଲିଯିବା ଘଟଣା କେବଳ ରାଜକନିକା କାହିଁକି ସାରା ଜିଲ୍ଲାର ଲୋକଙ୍କୁ ସ୍ତମ୍ଭିଭୂତ କରିଛି ।

Leave A Reply

Your email address will not be published.