ନିମଖଣ୍ଡି ଫାଣ୍ଡିକୁ ବିଧିବଦ୍ଧ ଥାନାରେ ପରିଣତ କରିଥିବା ଘୋଷଣାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ
ବ୍ରହ୍ମପୁର- ନିମଖଣ୍ଡି ଫାଣ୍ଡିକୁ ଉନ୍ନତକରଣ କରି ବିଧିବଦ୍ଧ ଭାବରେ ଥାନାରେ ପରିଣତ କରିବାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ବହୁଦିନର ଦାବୀ , ସଂଗ୍ରାମ ଏବଂ ଲୋକଙ୍କ ଓ ଅଞ୍ଚଳର ଆବଶ୍ୟକତାକୁ ସମ୍ମାନ ଦେଇ ଆଜି ସରକାର ନିମଖଣ୍ଡି ଫାଣ୍ଡିକୁ ଥାନାରେ ପରିଣତ କରାଯାଇଥିବା ଘୋଷଣା କରିଥିବାରୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ , ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଶ୍ରୀ ଗୋପବନ୍ଧୁ ଦାସ ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲା ପୂର୍ବତନ ଆରକ୍ଷୀ ଅଧିକ୍ଷକ ଶ୍ରୀ ପିନାକୀ ମିଶ୍ର ଏବଂ ବର୍ତ୍ତମାନର ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ ବିବେକ ଏମଙ୍କୁ ସେମାନଙ୍କ ଆନ୍ତରିକ ଉଦ୍ୟମ ଏବଂ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଏବଂ ହାର୍ଦିକ କୃତଜ୍ଞତା ଜଣାଇବା ସହ ସହର ତଳି ଅଞ୍ଚଳ ବାସୀଙ୍କୁ ଶୁଭେଚ୍ଛା ଜଣାଯାଇଛି।ଏଠାରେ ସୂଚନାଯୋଗ୍ୟ ଯେ ସହର ତଳି ଅଞ୍ଚଳର ବଢ଼ି ଚାଲିଥିବା ଭୌଗଳିକ ଅବସ୍ଥିତି ଓ ପରିସୀମା ଏବଂ ଲୋକ ସଂଖ୍ୟାର ଅହେତୁକ ଅଭିବୃଦ୍ଧି ହେଇଚାଲିଥିବା ବେଳେ ସମାନ୍ତରାଳ ଭାବେ ସେହି ସବୁ ସହର ତଳି ଅଞ୍ଚଳରେ ଚୋରି, ଡକାୟତି, ରାହାଜାନୀ, ନକଲି ସାମଗ୍ରୀ ପ୍ରସ୍ତୁତି ଏବଂ ଅନ୍ୟ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇ ଚାଲିଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ହେଲା ଅଧିକାଂଶ ସହର ତଳି ଅଞ୍ଚଳ ସହର ସନ୍ନିକଟରେ ଅବସ୍ଥିତି ଥିଲାବେଳେ ଆଇନ ଶୃଙ୍ଖଳା ଏବଂ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ଏହି ସବୁ ଅଞ୍ଚଳର ସୁଦୂର ୧୪ କିଲୋମିଟର ଦୂରରେ ଥିବା ଅଙ୍କୁଶପୁରର ସଦର ଥାନାଉପରେ ନ୍ୟସ୍ତ ।ଯାହାଫଳରେ କୌଣସି ଅଘଟଣ ଘଟିଲେ ପୋଲିସ ତତ୍ କ୍ଷଣାତ ପହଞ୍ଚି ସେବା ଦେବା ଦୁରୁହ ବ୍ୟାପାର ଥିଲା। ଯଦିଓ ଏହି ସବୁ ଅସୁବିଧାକୁ ଦୃଷ୍ଟିରେ ରଖି ନିମଖଣ୍ଡି ଠାରେ ଏକ ଫାଣ୍ଡି ସ୍ଥାପନା କରାଯାଇଥିଲା। କିନ୍ତୁ ଫାଣ୍ଡିର କ୍ଷମତା ଓ ଲୋକ ବଳ ସୀମିତ ଥିବାରୁ ଏବଂ ବିଶେଷକରି ଏଫଆଇଆର ଗ୍ରହଣ କରିବାର ଅଧିକାର ନଥିବାରୁ ଲୋକଙ୍କୁ ସୁଦୂର ଅଙ୍କୁଶପୁରକୁ ଏଫଆଇଆର ଦେବା ପାଇଁ ବହୁ ଅସୁବିଧା ମଧ୍ୟରେ ଯିବାକୁ ପଡୁଥିଲା।ଏହି ସବୁ ଅସୁବିଧା ଏବ ତଥ୍ୟକୁ ଆଖିଆଗରେ ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ନିମଖଣ୍ଡି ଫାଣ୍ଡିକୁ ଥାନାରେ ପରିଣତ କରିବାକୁ ଏବଂ ସଂପୃକ୍ତ ଫାଣ୍ଡିକୁ ବ୍ରଜନଗର ସ୍ଥାନାନ୍ତର କରିବାକୁ ଦୀର୍ଘ ୮ ବର୍ଷ ହେଲା ସରକାରଙ୍କ ନିକଟରେ ନିରନ୍ତର ଭାବରେ ଦାବୀ କରାଯାଇ ଆସୁଥିଲା। ପରିଶେଷରେ ସରକାର କମିଟିର ଦାବୀ ଓ ଅଞ୍ଚଳ ବାସୀଙ୍କ ଭାବାବେଗକୁ ଅନୁଭବ କରି ଓ ସମ୍ମାନ ଦେଇ ନିମଖଣ୍ଡି ଫାଣ୍ଡିକୁ ଥାନାରେ ପରିଣତ କରିଥିବାରୁ କମିଟି କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନେ ଖୁସି ବ୍ୟକ୍ତ କରିବା ସହ ନିମଖଣ୍ଡି ଫାଣ୍ଡି ଥାନାରେ ପରିଣତ ହେଲାପରେ ନୂତନ ଥାନାରେ ଜଣେ ଆଇଆଇସି ନିଯୁକ୍ତ ହେବା ସହ ଅନେକ ଅନ୍ୟ ଅଧିକାରୀ ନିଯୁକ୍ତ ହେବାର ସମ୍ଭାବନା ଥିବାରୁ ସହର ତଳି ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତିରେ ଯଥେଷ୍ଟ ଉନ୍ନତ ହେବା ସହ ଅପରାଧିକ କାର୍ଯ୍ୟକଳାପ ଅନେକାଂଶରେ ନିୟନ୍ତ୍ରଣାଧୀନ ହେଇପାରିବ ବୋଲି କମିଟି ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ସେହିଭଳି ସଦର ଥାନାର ଇଲାକା ଯଥେଷ୍ଟ ଅଧିକ ଓ ବଡ଼ ଥିବାରୁ ସେହି ଥାନା ମଧ୍ୟ ଅନେକ ସମସ୍ୟା ଭୋଗୁଥିଲା ଯାହା ନିମଖଣ୍ଡି ଥାନା ପ୍ରତିଷ୍ଠା ପରେ ଅନେକାଂଶରେ ଲାଘବ ହେବ ଏବଂ ଲୋକେ ଏହାର ସୁଫଳ ପାଇବେ।ଆଜିର ଏହି ଅବସର ଓ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ତରଫରୁ ନିମଖଣ୍ଡି ଫାଣ୍ଡି ପରିସରରେ ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଏବଂ ଅନ୍ୟ କର୍ମଚାରୀଙ୍କ ସହ ଖୁସି ମୁହୂର୍ତ୍ତକୁ ସେର କରିବା ସହ ଏହି ଅବସରରେ ସେଠାରେ ଉପସ୍ଥିତ ଫାଣ୍ଡି ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଏହି ଅବସରରେ ନିମଖଣ୍ଡି ରାଜସ୍ୱ ନିରୀକ୍ଷକ କୈଳାଶ ବେହେରା ଓ ଅମିନ ଜଗନ୍ନାଥ ସେଠୀ ଉପସ୍ଥିତ ଥିଲେ।ତତ୍ପରେ ଫାଣ୍ଡି ଅଧିକାରୀ, ଆରାଇ ଓ ଅମିନ କମିଟି କର୍ମକର୍ତ୍ତାଙ୍କ ସହ ଯାଇ ଥାନା ପାଇଁ ଚିହ୍ନଟ ହୋଇଥିବା ଲୋକାପଡାର ଏକ ଜାଗା ବୁଲି ଦେଖିଥିଲେ। ଏହି ଅବସରରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ବ୍ୟତୀତ, ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ୀହାରୀ, ସହ ସମ୍ପାଦକ ବି ଭି ସାଗର, ସଂଯୋଜକ ସି ଏଚ ରାମକ୍ରିଷ୍ଟ ଦାସ, ସହ ସଂଯୋଜକ ଅନିଲ ଅଧିକାରୀ , ସହସଂଗଠନ ସମ୍ପାଦକ ଶ୍ରୀମନ୍ତ୍ ପାଣିଗ୍ରାହୀ, ସହ କୋଷାଧ୍ୟକ୍ଷ ସୁଦାମ ପାତ୍ର, ଅଜିତ୍ ପଟ୍ଟନାୟକ, ପ୍ରଭାତ କୁମାର ବେହେରା, ଡ ପ୍ରବୀଣ କୁମାର ପାଢ଼ୀ,ଏମ ପ୍ରକାଶ ପାତ୍ର,ସୁନିଲ ପାତ୍ର , କାହ୍ନୁ ଚରଣପତି ଓ ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।