ବାଲିଖନନ ସମ୍ବନ୍ଧରେ ଜିଲ୍ଲା ସର୍ଭେ ରିପୋର୍ଟ ଉପରେ ଜାତୀୟ ଗ୍ରୀନ ଟ୍ରାଇବୁନାଲଙ୍କ ଚୂଡ଼ାନ୍ତ ରାୟ

ଜିଲ୍ଲା ସର୍ଭେ ରିପୋର୍ଟକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବ ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ। 

ବାରିପଦା- ମୟୂରଭଞ୍ଜ ଜିଲ୍ଲା ବାଲିଖାଦାନକୁ ନେଇ ପ୍ରସ୍ତୁତ କରାଯାଇଥିବା ଜିଲ୍ଲା ସର୍ଭେ ରିପୋର୍ଟକୁ ବେଆଇନ ଦର୍ଶାଇ ମୟୂରଭଞ୍ଜର ବିଶିଷ୍ଟ ପରିବେଶବିତ୍ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ବିବେକାନନ୍ଦ ପଟ୍ଟନାୟକ ଜାତୀୟ ଗ୍ରୀନ ଟ୍ରାଇବୁନାଲର ଦ୍ଵାରସ୍ତ ହୋଇଥିଲେ । ଜାତୀୟ ଗ୍ରୀନ ଟ୍ରାଇବୁନାଲ ଆବେଦନ ସଂଖ୍ୟା ୪୬/୨୦୨୨ ମାମଲାକୁ ଗ୍ରହଣ କରି ୨୨.୦୪. ୨୦୨୨ ତାରିଖ ଦିନ ଶୁଣାଣି କରି ୨୬.୦୪.୨୦୨୨ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲା। ଲଘୁ ଖଣିଜ ଦ୍ରବ୍ୟର ପରିଚାଳନା ପାଇଁ ୨୦୧୯ ମସିହାରେ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟ ଟିର ଅନ୍ତରୀଣ ରିପୋର୍ଟ ତଥା ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କୌଣସି ପ୍ରକାର କ୍ଷେତ୍ର ପରିଦର୍ଶନ କରାଯାଇ ନାହିଁ। ବାଲିଘାଟ ପାଇଁ ସହନଶୀଳ ବାଲିଖନନ ମାର୍ଗଦର୍ଶିକା ୨୦୧୬ ଏବଂ ୨୦୨୦ ର ଅନୁପାଳନ କରାନଯାଇ ବେପରୁଆ ଭାବରେ ରିପୋର୍ଟକୁ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ କରାଯାଇଥିଲା। ଗତ ଅଗଷ୍ଟ ୨୬ ତାରିଖ ଦିନ ଜାତୀୟ ଗ୍ରୀନ ଟ୍ରାଇବୁନାଲରେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ଜୁଡିସିଆଲ ମେମ୍ବର ବି. ଷ୍ଟାଲେକର ଏବଂ ଏକ୍ସପର୍ଟ ମେମ୍ବର ଶୈବାଳ ଦାସଗୁପ୍ତାଙ୍କ ଖଣ୍ଡପିଠରେ ଶୁଣାଣି ହୋଇଥିଲା । ଶୁଣାଣି ସମୟରେ ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ, ଓଡ଼ିଶା, ତାଙ୍କ ସତ୍ୟପାଠରେ ଦର୍ଶାଇ ଥିଲେ ଯେ, ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜୁଲାଇ ମାସରେ ଅନ୍ୟ ଏକ ନୂଆ ଜିଲ୍ଲା ସର୍ଭେ ରିପୋର୍ଟ ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷଙ୍କ କମିଟି ପାଖରେ ଦାଖଲ କରାଯାଇଛି। କମିଟି ଉକ୍ତ ରିପୋର୍ଟଟିକୁ ସମୀକ୍ଷା କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହି ଉକ୍ତିକୁ ଆଧାର କରି ମାନ୍ୟବର ଖଣ୍ଡପୀଠ ଜିଲ୍ଲା ସର୍ଭେ ରିପୋର୍ଟକୁ ନେଇ ସୁପ୍ରିମକୋର୍ଟଙ୍କ ଆଦେଶନାମା ଓ ବାଲେଶ୍ଵର ଜିଲ୍ଲା ସର୍ଭେ ରିପୋର୍ଟ ମାମଲାରେ ଥିବା ଆଦେଶକୁ ବିଚାରକୁ ନେଇ ଜିଲ୍ଲାର ସର୍ଭେ ରିପୋର୍ଟର ପ୍ରାମାଣିକତାକୁ ସମୀକ୍ଷା କରିବା ପାଇଁ ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ ବ୍ୟତୀତ ଜିଲ୍ଲାପାଳଙ୍କ ସତ୍ୟପାଠକୁ ଆଧାର କରି ଆଗତ ହୋଇଥିବା ଚାରିଟି ବାଲିଖାଦାନ ଟେଣ୍ଡରକୁ ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ କମିଟିର ଚୂଡ଼ାନ୍ତ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.