ପୁରୀ- ନୂଆଁଖାଇ ଖାଲି ଏକ ପର୍ବ ନୁହେଁ ଏହା ଆମ ସଂସ୍କୃତି ,ସଦଭାବନା ଓ ଭାଇଚାରାର ପ୍ରତୀକ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର। ବୁଧବାର ପୂର୍ବାହ୍ନରେ ସଂସ୍କୃତି ଭବନ ପରିସରରେ ରାଜ୍ୟ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟରେ ନୂଆଁଖାଇ ପର୍ବ ପାଳିତ ହୋଇଥିଲା। ଏହାକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ଶ୍ରୀ ମହାପାତ୍ର ବାର ମାସରେ ତେର ପର୍ବ ଆମ ମହାନ ସଂସ୍କୃତି ର ଅଂଶ ବିଶେଷ ବୋଲି କହିଥିଲେ। ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ବିଶେଷ ପର୍ବ ଭାବେ ପାଳନ କରାଯାଏ। ତେବେ ରାଜ୍ୟ ସରକାର ରାଜ୍ୟର ସମସ୍ତ ଜିଲ୍ଲା ରେ ଏହି ନୂଆଁଖାଇ ପର୍ବ ପାଳନ ପାଇଁ ବ୍ୟବସ୍ଥା କରିଛନ୍ତି। ଯାହା ସାଂସ୍କୃତିକ ବିବିଧତା ମଧ୍ୟରେ ଏକତାର ପ୍ରତିଷ୍ଠା କରୁଛି ବୋଲି ଶ୍ରୀ ମହାପାତ୍ର କହିଥିଲେ। ମୁଖ୍ୟ ବକ୍ତା ଭାବେ ପୁରୀ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ଅତୀତର ସ୍ମୃତି ଚାରଣ କରିବା ସହ ପାରସ୍ପରିକ ସ୍ନେହ, ସଦିଛା,ଭଲ ପାଇବା ଓ ଭାଇଚାରା ନୂଆଁଖାଇର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଯେତେ ଦୂରରେ ଥିଲେ ବି ନୂଆଁଖାଇ ପାଇଁ ଲୋକ ଟି ତା ପରିବାର ସହ ମିଶିବାର ଉତ୍ସାହ ହିଁ ବଡ ସଦଭାବ ବୋଲି ସେ କହିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ଆମର ପୂର୍ବ ପରମ୍ପରା ଆସ୍ତେ ଆସ୍ତେ ଭାଗିଂ ଯାଉଛି । ଯାହା ଫଳରେ ଭବିଷ୍ୟତ ପିଢ଼ି ଆମ ମହାନ ସଂସ୍କୃତି ସମ୍ପର୍କରେ ଅଜ୍ଞ ରହି ଯାଉଛନ୍ତି। ଏହା ଫଳରେ ବରିଷ୍ଠ ଓ ବୟସ୍କ ଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ହ୍ରାସ ପାଉଛି ବୋଲି କହିବା ସହ ନୂଆଁଖାଇ ପର୍ବ ପାଳନ ଆମ ଭାଇଚାରା କୁ ମଜବୁତ କରିବ ବୋଲି ଆଶାବ୍ୟକ୍ତ କରିଥିଲେ। ନୃତ୍ୟ ଗୁରୁ ଶ୍ରୀ ଗୋବିନ୍ଦ ପାଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଶୁଂ କୁମାର ମହାରଣା ପ୍ରମୁଖ ଓଡ଼ିଆ ସଂସ୍କୃତି ଓ ନୂଆଁଖାଇର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀ ବସନ୍ତ କୁମାର ମହାରଣା ମଚଂ ପରିଚାଳନା କରିଥିଲେ। ଶେଷରେ କଳାକାର ମାନଙ୍କ ଦ୍ଵାରା ସମ୍ବଲପୁରୀ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।