ବାରିପଦା- ଜାତୀୟ ଯୋଗାସନ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିଣି ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବ ସାଉଁଟି ଆଣିଛନ୍ତି ବାରିପଦାର ପ୍ରକାଶ ବେହେରା। କର୍ଣ୍ଣାଟକର ହାମ୍ପିରେ ହଟ୍ ଯୋଗ ଫେଡ୍ରେସନ ପକ୍ଷରୁ ଆୟୋଜିତ ହୋଇଥିବା ଜାତୀୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ଓଡିଶାରୁ ସମୁଦାୟ ୨୨ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ପ୍ରକାଶ ବେହେରା ଅଂଶଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତା ଆରମ୍ଭର ହିଁ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥିଲା। ତେବେ ବେଶ ଉଚ୍ଚ କୋଟିର ପ୍ରଦର୍ଶନ କରି ବାରିପଦାର ପ୍ରକାଶ ସ୍ଵର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି। ବାରିପଦାର ବେଳଗଡ଼ିଆ ଅଞ୍ଚଳର ନିବାସୀ ବୁଦ୍ଧଦେବ ବେହେରା ଓ ସିମିରାଣୀ ବେହେରାଙ୍କ ପୁତ୍ର ଅଟନ୍ତି ପ୍ରକାଶ। ଛୁଆ ବେଳୁ ଯୋଗାସନ ପ୍ରତି ତାଙ୍କର ଅନେକ ନିଷ୍ଠା ଥିବା ବେଳେ ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟରରେ ୬ ବର୍ଷ ହେବ ଯୋଗ ଶିକ୍ଷକ ଜ୍ୟୋତିରଞ୍ଜନ ଦାସଙ୍କ ଠାରୁ ଯୋଗ ଶିକ୍ଷା କରୁଥିଲେ। ତେବେ ବାପା ବୁଦ୍ଧ ଦେବ ଚା ଏବଂ ଜଳଖିଆ ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି। ପ୍ରକାଶ ଆଜି ବାରିପଦାରେ ଆସି ପହଁଚିଥିବା ବେଳେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ତେବେ ପ୍ରତିଯୋଗିତାରେ କୃତି ଖେଳାଳିଙ୍କୁ ଆଗମୀ ସାଉଥ ଏସିଆନ ପ୍ରତିଯୋଗିତା ପାଇଁ ଚୟନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି।