ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ବାଘପାଲି ଜଙ୍ଗଲରେ ବାଘ ଶିକାର ଘଟଣା ରେ ମୂଖ୍ୟ ଅଭିଯୁକ୍ତ ମଠାଧିଶଙ୍କ ସହ ୬ ଶିକାରୀ ଗିରଫ ହୋଇଥିବା ବେଳେ ମଠ ଭିତରୁ ପଞ୍ଝା ଜବତ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ବାଘ ନଖ ଓ ଦାନ୍ତ ଉଦ୍ଧାର କରିବାରେ ଅସଫଳ ହୋଇଛି ବନବିଭାଗ । ଉଲୁଣ୍ଡା ବନାଂଚଳ ଅନ୍ତର୍ଗତ ବାଘପାଲି ଗ୍ରାମ ନିକଟ ଜଙ୍ଗଲରେ କଲରାପତରିଆ ବାଘ ଶିକାର ଘଟଣାରେ ୬ ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବାଘପାଲି ଜଙ୍ଗଲ ଭିତରେ ଥିବା ମଠର ମଠାଧିଶ ଦାନବିହାରୀ ଶରଣଂ ଓରଫ ଦୟାସାଗର ଥାଟୀଙ୍କ ସମେତ କୋଟସମଲାଇ ଗ୍ରାମର ସୁରେନ୍ଦ୍ର ପଧାନ, ବିଜୁ ଗୁରୁ, ନାକଡେଇଁ ଗ୍ରାମର ରାମଚନ୍ଦ୍ର ପୁରୋହୀତ, ବାଘପାଲି ଗ୍ରାମର ପୁରନ୍ଦର ଥାଟି ଏବଂ ସୁବର୍ଣ୍ଣପୁର ପଟାଭାଡିର ସତ୍ୟ ନାରାୟଣ ମେହେର ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିସହ ଶିକାରୀଙ୍କ ପାଖରୁ ବାଘର ୪ଟି ପଞ୍ଝା ସମେତ କିଛି ନଖ ଏବଂ ଦାନ୍ତ ଜବତ କରାଯାଇଛି । ଏହି ଅଭିଯୋଗରେ କେତେଜଣ ଅଭିଯୁକ୍ତ ଏବେବି ଫେରାର ରହିଥିବା ବେଳେ ଆଉ କିଛି ଦାନ୍ତ ଓ ନଖ ଜବତ କରାଯାଇ ପାରିନାହିଁ ।