ଭଞ୍ଜନଗର/ ଗଂଜାମ – କନ୍ଧମାଳ ସୀମାନ୍ତ ଭଞ୍ଜନଗର ବ୍ଳକ ବ୍ରାହ୍ମଣପଦର ପଂଚାୟତ ନାରୀଗୋଚ୍ଛା ଗ୍ରାମର ଉପରମୁଣ୍ଡ ରେ ଗତକାଲି ପ୍ରବଳ ବର୍ଷା ଲାଗି ରହିଥିଲା। ଯାହାର ପ୍ରଭାବ ରେ ନାରୀଗୋଚ୍ଛା ଦେଇ ଯାଇଥିବା ବାରି ନାଳରେ ପ୍ରଖର ସ୍ରୋତରେ ପାଣି ମାଡ଼ି ଆସିଥିଲା। ଏହି ସମୟରେ ନିଜ ଗ୍ରାମକୁ ବାଇକ ଯୋଗେ ଫେରୁଥିବା ଏକ ଦମ୍ପତି ନାଳ ପାଣିରେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ଗାଲେରୀ ଫାଣ୍ଡି ପୋଲିସ ଉଦ୍ଧାର କାଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୪ ଘଣ୍ଟା ପରେ ଯେନତେନ ନିଜ ପ୍ରାଣକୁ ବଞ୍ଚାଇ ଲତା ଡାଳ ସାହାଯ୍ୟରେ ରହିଥିବା ପେଙ୍ଗୁଝୋଳା ଗ୍ରାମର ରଞ୍ଜିତ ନାଇକଙ୍କୁ ଉଦ୍ଧାର କରାଯାଇଥିଲା। ଆଜି ସକାଳୁ ପାଣିର ସ୍ରୋତ କମିବା ପରେ ଗ୍ରାମବାସୀ ଙ୍କ ସହାୟତାରେ ଘଟଣା ସ୍ଥଳ ଠାରୁ ପ୍ରାୟ ୨ଶହ ମିଟର ଦୂରରେ ଏକ ଜମି ଭିତରୁ ପତ୍ନୀ ମୋନଲିସା ନାଇକ(୨୪)ଙ୍କୁ ଠାବ କରାଯାଇଥିଲା। ସେ ଜୀବିତ ଥିବା ସନ୍ଦେହ କରି ପୋଲିସ ସହାୟତାରେ ଗ୍ରାମବାସୀ ମାନେ ନିକଟସ୍ଥ ଗାଲେରୀ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ମୋନାଲିସାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗାଲେରୀ ଫାଣ୍ଡି ପୁଲିସ କେସ ନଂ ୧୯/୨୨ ରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଫାଣ୍ଡି ଅଧିକାରୀ ଭାଗୀରଥି ନାୟକ ସୂଚନା ଦେଇଛନ୍ତି।