ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖା ଅବଧି ୫ ଦିନ ବୃଦ୍ଧି
ଭୁବନେଶ୍ୱର : ଓଡ଼ିଶାର ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଅବଧିକୁ ୫ ଦିନ ବୃଦ୍ଧି କରାଯାଇଛି ।
ଆଜି ପୂର୍ବାହ୍ନରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥ କାର୍ଯ୍ୟାଳୟରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରୁ ଜଣାପଡ଼ିଛି ଯେ ବର୍ତ୍ତମାନ ସୁଦ୍ଧା ସରକାରୀ ଓ ବେସରକାରୀ ଇଂଜିନିୟରିଂ କଲେଜଗୁଡ଼ିକରେ ୧୨ ହଜାର ୫୩୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।
ଗତ ବର୍ଷ ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କଠାରୁ ଚଳିତ ବର୍ଷ ୪ ହଜାର ଅଧିକ ବିଦ୍ୟାର୍ଥୀ ନାମ ଲେଖାଇଥିଲେ ମଧ୍ୟ ୬୦.୩୭ ପ୍ରତିଶତ ସ୍ଥାନ ଖାଲି ରହିଛି । ଏହାକୁ ଦୃଷ୍ଟିରେ ରଖି ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟକ୍ରମରେ ନାମଲେଖାଇବାର ସୁଯୋଗ ଦେବା ପାଇଁ ନାମଲେଖା ଅବଧିକୁ ୫ ଦିନ ବୃଦ୍ଧି କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ପ୍ରକାଶ ଥାଉ କି, ସରକାରୀ ଇଂଜିନିୟରିଂ କଲେଜରେ ୮୦.୮୮ ପ୍ରତିଶତ ସ୍ଥାନ ପୂରଣ ହୋଇ ସାରିଥିବାବେଳେ ଘରୋଇ ଇଂଜିନିୟରିଂ କଲେଜରେ ୩୩.୮୭ ପ୍ରତିଶତ ସ୍ଥାନ ପୂରଣ ହୋଇଛି । ଆସନ୍ତା ସପ୍ତାହରେ ନାମଲେଖା ଫି ସଂପର୍କରେ ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ଏବଂ ଏହା ଆସନ୍ତା ତିନୋଟି ଶିକ୍ଷା ବର୍ଷ ନିମନ୍ତେ ଲାଗୁ କରାଯିବ ବୋଲି ଆଲୋଚନାରୁ ଜଣାପଡ଼ିଛି ।
ଏହି ବୈଠକରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରେଘୁ ଜିଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।