ଜାତିଗତ ନିର୍ଯ୍ୟାତନାର ଶିକାର ହୋଇ ଗାଁରୁ ଦୀର୍ଘ ୨୨ ବର୍ଷ ଧରି ବିତାଡିତ ବାଲିଛାଇ ଗାଁର ୫୦ଟି ଦଳିତ ପରିବାରର ଦକ୍ଷିଣାଞ୍ଚଳ ଆଇଜିଙ୍କୁ ସ୍ମାରକପତ୍ର ପ୍ରଦାନ
ଵ୍ରହ୍ମପୁର:ଆସିକା ବ୍ଳକର ବାଲିଛାଇ ଗ୍ରାମର ୫୦ଟି ଦଳିତ ପରିବାରକୁ ଗତ ୨୦୦୦ ମସିହାରୁ ଗାଁର ସବର୍ଣ୍ଣ ଲୋକମାନେ ଜାତିଗତ ବିଦ୍ଵେଷ ଓ ହିଂସା କରି ଗାଁରୁ ତଡି ଦେଇଥିଲେ । ଗତ ୨୨ ବର୍ଷ ଧରି ଗାଁ ବାହାରେ ଯାଯାବର ଭାବେ ବୁଲି କୌଣସି ମତେ ଜୀବନ କାଟୁଥିବା ଏହି ପିଡୀତ ଲୋକମାନେ ସରକାରଙ୍କ ପାଖରେ ହାରିଗୁହାରି କଲେ ମଧ୍ୟ ସେମାନଙ୍କୁ ଆଜି ଯାଏଁ ନ୍ୟାୟ ମିଳିନାହିଁ । ଏପରିକି ସେମାନଙ୍କ ଘରକୁ ଗାଁର ସବର୍ଣ୍ଣ ଲୋକମାନେ ଭାଙ୍ଗି ଦେଇଥିବାରୁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଘର ତିଆରି କରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ସରକାର ସେମାନଙ୍କ ସୁରକ୍ଷା ପାଇଁ ସେହି ସ୍ଥାନରେ ଏକ ଫାଣ୍ଡି ସ୍ଥାପନ କରିଥିଲେ ମଧ୍ୟ ସେମାନଙ୍କୁ ଗାଁରେ ଥଇଥାନ କରାଯାଇନାହିଁ । ଏକ ଗଣତାନ୍ତ୍ରିକ ଦେଶରେ ସମାଜର ଦଳିତ ଓ ଗରିବ ବର୍ଗର ଲୋକମାନେ ଏଭଳି ଜାତିଗତ ହିଂସାର ଶିକାର ହୋଇ ନିଜର ଜମି, ଘର ଓ ଜୀବିକା ଓ ଗାଁରୁ ତଡାଖାଇ ବାହାରେ ଦୟନୀୟ ଅବସ୍ଥାରେ ଦୀର୍ଘ ୨୨ ବର୍ଷ ଧରି ରହିବା ଆମର ଗଣତାନ୍ତ୍ରିକ ଓ ସାମ୍ଵିଧାନିକ ବ୍ୟବସ୍ଥା ପାଇଁ ଆହ୍ଵାନ । ଏଭଳି ପରିସ୍ଥିତିରେ ବାଲିଛାଇର ପୀଡିତ ପରିବାରମାନଙ୍କ ଏକ ପ୍ରତିନିଧି ଦଳ ଆଜି ନିଜର ଦାବି ଜଣାଇବାକୁ ସ୍ଥାନୀୟ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କୁ ଭେଟିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଆଇଜି ସେମାନେ ଯେପରି ଗାଁରେ ସୁରକ୍ଷିତ ଭାବେ ରହିବେ ସେଥିପାଇଁ ଆବଶ୍ୟକୀୟ ପୋଲିସ ସୁରକ୍ଷା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ପୀଡ଼ିତମାନଙ୍କ ପୂର୍ବର ଘର ଆଉ ନଥିବାରୁ ତଥା ପ୍ରଶାସନ ନୂତନ ଭାବେ ସେମାନଙ୍କ ପାଇଁ ଗୃହ ନିର୍ମାଣ କରି ନଥିବାରୁ ସମୟ ସେମାନେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରିବାକୁ ସ୍ଥିର କରିଛନ୍ତି ।ଆଜି ସ୍ମାରକପତ୍ର ପ୍ରଦାନ କରିବା ସମୟରେ ପୀଡିତ ପରିବାରମାନଙ୍କ ପକ୍ଷରୁ ଲକ୍ଷ୍ମୀ ନାୟକ, କମଳ ନାୟକ, ଗଣପତି ନାୟକ, ଚିତ୍ତରଞ୍ଜନ ନାୟକ, ବାବୁଲା ନାୟକ, ଛବି ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ମାନବିକ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ କୁମାର ଗୟା, ଆଇଏଫଟିୟୁ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ, ଗଞ୍ଜାମ ଜିଲ୍ଲା ଦଳିତ ମହାସଭାର ଆବାହକ ସଂଗ୍ରାମ ନାୟକ ଓ ମାନବବାଦୀ ହେତୁବାଦୀ ସଂଗଠନର ଗଞ୍ଜାମ ଜିଲ୍ଲା ସମ୍ପାଦକ କେ. ନାନ୍ଦେଶୁ ସେନାପତି ପ୍ରମୁଖ ଯୋଗ ଦେଇଥିଲେ ।