ତଥ୍ୟ ନଜାଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା

ଭୁବନେଶ୍ୱର :ଆବାସ ଯୋଜନା ସଂପର୍କରେ ଓଡିଶାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ୨ଟି କଥା ଉଲ୍ଲେଖ କରିଛନ୍ତି । ପ୍ରଥମତଃ ଓଡିଶାର ଫନିରେ ପ୍ରଭାବିତ ନହୋଇଥିବା ଅଂଚଳ ମାନଙ୍କ ପାଇଁ ଆଉ ଘରର ଆବଶ୍ୟକତା ଅଛି ଏବଂ ଦ୍ୱିତୀୟରେ ଆବାସ ସ୍ଲଟ ପୋର୍ଟାଲ ଯେଉଁଥିରେ କି ଜିଓ ଟ୍ୟାଗିଂ ସହିତ ବେନିଫିସିଆରି ମାନଙ୍କର ନାମ ଯୋଡା ହେବାର ଆବଶ୍ୟକତା ଅଛି ।

ସେ ଆବାସ ପୋର୍ଟାଲ ଖୋଲାନହେଉଥିବାରୁ ଓଡିଶାର ହିତାଧିକାରୀ ମାନଙ୍କର ନାମ ଯୋଡି ହୋଇପାରୁନାହିଁ ଆବାସ ପୋର୍ଟାଲରେ ସେଥିପାଇଁ ଓଡିଶା ପ୍ରଦେଶରେ ଲୋକେ ହଇରାଣ ହେଉଛନ୍ତି । ତଥ୍ୟ ନଜାଣି ମୁଖ୍ୟମନ୍ତ୍ରୀ ଏପରି ଚିଠି ଲେଖିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି ।

ରାଜ୍ୟସରକାର କୋକିଶିଆଳି ଭଳି ଚାଲାକି ନଦେଖାଇ ନିଜ ରାଜ୍ୟ ପ୍ରତି ନୈତିକତା ଦେଖାଇବା ସହ କିପରି ରାଜ୍ୟବାସୀ କେନ୍ଦ୍ରୀୟ ଯୋଜନାର ସୁଫଲ ପାଇବେ ସେ ଦିଗରେ କାର୍ଯ୍ୟ କରିବା କଥା । କିନ୍ତୁ ତାହା ନକରି ରାଜ୍ୟ ସରକାର ନିଜକୁ ସୁରକ୍ଷା ଦେବାପାଇଁ ନୀଳବର୍ଣ୍ଣ ଶୃଗାଳ ପରି ଛଦ୍ମବେଶ ଧାରଣ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଯେଉଁଟା ସତ୍ୟ ତାହା ଉପସ୍ଥାପନା କରିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ଗତ କାଲି ଚିଠିରେ ଯାହା ଲେଖିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ୨୦୧୮-୧୯ରେ ୫ ଥର ଆବାସ ସଫ୍ଟର ଉଇଣ୍ଡୋ ଓପନ ହୋଇଥିଲା । ୦୬ ଜୁଲାଇ ୨୦୧୭ ରୁ ୩୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଆବାସ ସଫ୍ଟର ଉଇଣ୍ଡୋ ଖୋଲା ଥିଲା । ପ୍ରଥମଥର ପାଇଁ ୩୧ ମାର୍ଚ୍ଚ ୨୦୧୮ରୁ ୩୦ ଜୁନ୍ ୨୦୧୮ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଗଲା । ପୁଣିଥରେ ୩୦ ଜୁନ୍ ୨୦୧୮ରୁ ୩୦ ସେପ୍ଟେମ୍ବର ୨୦୧୮ ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଗଲା । ୩୦ ସେପ୍ଟମ୍ବର ୨୦୧୮ରୁ ୩୦ ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଗଲା । ଶେଷରେ ୭ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଯାଇଥିଲା । ରାଜ୍ୟ ସରକାର ଏହି ପର୍ଯ୍ୟାପ୍ତ ସମୟ ଭିତରେ ମାତ୍ର ୪୫,୯୦୩ଟି ନାଁ ଅପଲୋଡ୍ କରିଛନ୍ତି ।

ଫନି ବାତ୍ୟା ସମୟରେ ରାଜ୍ୟ ସରକାର କହିଥିଲେ କି, ୩.୮୯ ଲକ୍ଷ ପ୍ରଭାବିତ ଲୋକଙ୍କୁ ଘର ଦେବାର ଆବଶ୍ୟକତା ରହିଛି ବୋଲି ଦର୍ଶାଇ ଉଇଣ୍ଡୋ ଓପନ କରିବାକୁ ରାଜ୍ୟ ସରକାର ଚିଠି ଲେଖିଥିଲେ । ଏହାକୁ ଆଧାର କରି ୨୭ ଅଗଷ୍ଟରୁ ୧୦ ସେପ୍ଟମ୍ବର ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଯାଇଥିଲା । ତଥାପି ରାଜ୍ୟ ସରକାର ହିତାଧିକାରୀଙ୍କ ନାଁ ଯୋଡି ପାରିଲେ ନାହିଁ । ପୁଣିଥରେ ୧୫ ଦିନ ସମୟସୀମା ବୃଦ୍ଧି କରିବାକୁ କହିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୨୫ ସେପ୍ଟେମ୍ବରରୁ ୯ ଅକ୍ଟୋବର ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଯାଇଥିଲା । ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସରକାର ପାଖପାଖି ୧୩ ଲକ୍ଷ ଲୋକଙ୍କ ନାଁ ଯୋଡିବାକୁ ପ୍ରୟାସ କଲେ । ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମିଛର ଅବତାରଣା କରି ଚିଠି ଲେଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଆବାସ ଯୋଜନାରେ ଆସିଥିବା ୮,୧୭,୦୦୦ ପକ୍କା ଘର ବଂଟନରୁ ଫନି ପ୍ରଭାବିତ ନହୋଇ ଥିବା ୧୬ ଟି ଜିଲ୍ଲାରେ ରାଜ୍ୟ ସରକାର ଗୋଟିଏ ବି ଘର ତାଲିକାଭୃକ୍ତ କରିନାହାଁନ୍ତି । ସେହି ଜିଲ୍ଲାଗୁଡିକରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବରଗଡ, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଆଦି ଜିଲ୍ଲାକୁ ଘର ଆବଂଟନ ଶୂନ ରହିଥିବାବେଳେ କେବଳ ଝାରସୁଗୁଡା ଜିଲ୍ଲାକୁ ଏହି ଯୋଜନାରେ ମାତ୍ର ୪ଟି ଘର ଆବଂଟନ କରାଯାଇଛି । ରାଜ୍ୟ ସରକାର ଏଦିଗରେ ଏପର୍ଯ୍ୟନ୍ତ କାହିଁକି ମୁହଁ ଖୋଲୁ ନାହଁନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ଗ୍ରାମ ସଭାରେ ନିଷ୍ପତି ହେବା ଦରକାର । ପ୍ରତିପଂଚାୟତରେ ଜନନିରୀକ୍ଷଣ ସମିତି କରାଯାଉ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକା ଭୃକ୍ତ କରାଯାଉ । ଏହା ସହ ସାନି ସର୍ଭେ କରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯାଉ । ଅଯୋଗ୍ୟ ହିତାଧିକାରୀକୁ ପକ୍କାଘର ବାଂଟିଲେ ରାଜ୍ୟ ସରକାର ଅସୁବିଧାରେ ପଡିବେ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।

ଏପ୍ରିଲ ମାସରୁ ରିପୋର୍ଟ ଆସିଛି କି ଆବାସ ଯୋଜନାରେ ପକ୍କା ଘର ବଂଟନରେ ବ୍ୟାପକ ଭ୍ରଷ୍ଟାଚାର ହୋଇଛି । ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ରାଜ୍ୟ ସରକାର ଏପର୍ଯ୍ୟନ୍ତ ଚୁପ୍ ବସିବାର ଅର୍ଥ ହେଉଛି କି, ଚୋରିକୁ ଘଂଟ ଘୋଡାଇବା ପାଇଁ ରାଜ୍ୟ ସରକାର ପୋତ୍ସାହନ ଦେଉଛନ୍ତି । ମିଛ କହିବା ରାଜ୍ୟ ସରକାର ବନ୍ଦ କରନ୍ତୁ । ସରକାରଙ୍କ ଉତରଦାୟୀତ୍ୱ ଏବଂ ନୈତିକତାକୁ ଠିକଣା ଭାବରେ ନିଭାନ୍ତୁ । ଆଗାମୀ ୪୮ ଘଂଟାରେ ରାଜ୍ୟ ସରକାର ପକ୍କା ଘର ବଂଟନ ମହା ଦୁର୍ନୀତି ଉପରେ ବିଜେପି ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତର ରଖିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

Leave A Reply

Your email address will not be published.