ଲକ୍ଷ୍ନୌ : ବିଜେପିର ଉତ୍ତର ପ୍ରଦେଶ ଚିନ୍ତା । ଦେଶର ସବୁଠୁ ବଡ଼ ରାଜ୍ୟରେ କ୍ଷମତା ରିପିଟ୍ କରିବାକୁ ସବୁ ପ୍ରକାର ରଣନୀତି ଆରମ୍ଭ କରି ଦେଇଛି ଦଳ । ନିକଟରେ ଲକ୍ଷ୍ନୌ ଯାଇ ଦଳର ସଂଗଠନ ସ୍ଥିତି ସମୀକ୍ଷା ସହ ପୁଣି ସଦସ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଥିବା କେନ୍ଦ୍ର ଗୃହମନ୍ତ୍ରୀ ତଥା ଦଳର ନିର୍ବାଚନୀ ଚାଣକ୍ୟ ଅମିତ ଶାହ, ଶୁକ୍ରବାର ବାରଣାସୀ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାରଣାସୀରେ ‘ଇଲେକସନ୍ ମାଷ୍ଟରକ୍ଲାସ୍’ କରିବେ ଶାହ । ଯେଉଁଥିରେ ରାଜ୍ୟର ପାଖାପାଖି ୭ ଶହ ବିଜେପି ନେତାଙ୍କୁ ଆଗାମୀ ନିର୍ବାଚନ ପାଇଁ ପାଠ ପଢ଼ାଇବେ ଶାହ ।
ଶାହଙ୍କ ଇଲେକସନ୍ ମାଷ୍ଟରକ୍ଲାସରେ ଉତ୍ତର ପ୍ରଦେଶର ପ୍ରାୟ ସବୁ ବିଜେପି ନେତା ସାମିଲ ହେବେ । ୯୮ ଜିଲ୍ଲା ସଭାପତି, ଅନ୍ୟ ସବୁ ଜିଲ୍ଲାର ପ୍ରଭାରୀ, ସମସ୍ତ ୪୦୩ ବିଧାନସଭା ଆସନର ପ୍ରଭାରୀ, ଦଳର ୬ ଆଞ୍ଚଳିକ ସଭାପତି, ରାଜ୍ୟର ସମସ୍ତ ବରିଷ୍ଠ ନେତା ଏବଂ ସହ ପ୍ରଭାରୀମାନେ ଶାହଙ୍କ ମାଷ୍ଟରକ୍ଲାସରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପାଠ ପଢ଼ିବେ । ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଜ୍ୟ ସଭାପତି ସ୍ବତନ୍ତ୍ରଦେବ ସିଂହ, ଦୁଇ ଉପ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ନିର୍ବାଚନୀ ଇନ୍ ଚାର୍ଜ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶାହଙ୍କ ମାଷ୍ଟରକ୍ଲାସ ବେଳେ ଉପସ୍ଥିତ ରହିବେ । ବାରଣାସୀରେ ପୂରା ଦିନ ତମାମ ଚାଲିବ ଏହି ‘ଇଲେକସନ୍ ମାଷ୍ଟରକ୍ଲାସ୍’ ।
୨୦୨୨ ନିର୍ବାଚନ ପାଇଁ ଉତ୍ତର ପ୍ରଦେଶ ବିଜେପି କେମିତି ପ୍ରସ୍ତୁତି ଚଳାଇଛି, ଷ୍ଟାଣ୍ଡିଂ ବିଧାୟକମାନଙ୍କର ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଇମେଜ୍ ଏବଂ ଦବଦବା କେମିତି ରହିଛି, ସାମଗ୍ରୀକ ଭାବେ ଦଳର ଲୋକପ୍ରିୟତା କମିଛି ନା ବଢ଼ିଛି… ଏସବୁର ସମୀକ୍ଷା କରିବେ ଅମିତ ଶାହ । କେମିତି ଦଳର ପ୍ରଚାର କରାଯିବ, କେମିତି ଲୋକଙ୍କର ଅଧିକ ନିକଟତର ହେବାକୁ ପଡ଼ିବ… ସେନେଇ ମଧ୍ୟ ବାରଣାସୀ ‘ଇଲେକସନ୍ ମାଷ୍ଟରକ୍ଲାସ’ରେ ଦଳୀୟ ନେତାଙ୍କୁ ପଢ଼ାଇବେ ଶାହ ।…
ବିଜେପି ପାଇଁ ୨୦୧୭ ଜମାନା ନାହିଁ । ଉତ୍ତର ପ୍ରଦେଶର ଜାତିଆଣ ରାଜନୀତିରେ ଛୋଟ ଛୋଟ ଆଞ୍ଚଳିକ ଦଳକୁ ନେଇ ୨୦୧୭ରେ ରେକର୍ଡ ରେଜଲ୍ଟ କରିଥିଲା ବିଜେପି । ମୋଟ ୪୦୩ ଆସନରୁ ୩୧୨ଟିରେ ଜିତି, ଦଳ ସରକାର ଗଢ଼ିଛି । ସେତେବେଳେ ଓମପ୍ରକାଶ ରାଜଭରଙ୍କ ସୁହେଲଦେବ ଭାରତୀୟ ସମାଜ ପାର୍ଟି, ବିଜେପିକୁ ଭଲ ସପୋର୍ଟ ଦେଇଥିଲା । କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସୁହେଲଦେବ ଭାରତୀୟ ସମାଜ ପାର୍ଟି, ବିଜେପି ଠାରୁ ସମ୍ପର୍କ ଛିନ୍ନ କରିଦେଇ ଅଖିଳେଶ ସିଂହ ଯାଦବଙ୍କ ସାଇକେଲକୁ ସାଥୀ କରିଛି । ପୁଣି କୋରୋନା ନିୟନ୍ତ୍ରଣରେ ଯୋଗୀ ସରକାରଙ୍କ ବିଫଳତା, କୃଷକ ଆନ୍ଦୋଳନ ଏବଂ ଏବେ ଏବେ ଘଟିଥିବା ଲଖିମପୁର ଖେରି ହିଂସାକାଣ୍ଡ, ଲୋକଙ୍କ ମନରେ ଆକ୍ରୋଶ ଭରି ଦେଇଛି । ଏଭଳି ସ୍ଥିତିରେ ଉତ୍ତର ପ୍ରଦେଶର ୨୦୨୨ ବିଧାନସଭା ନିର୍ବାଚନ, ବିଜେପି ପାଇଁ ସେତେଟା ସହଜ ଲାଗୁନି । ଯେଉଁଥି ପାଇଁ ବିଗୁଲ୍ ବାଜି ନଥିଲେ ମଧ୍ୟ ଯଥେଷ୍ଟ ପୂର୍ବରୁ ପୋଲ୍ ପୋଜିସନ୍ ନେଇଥିବା ବିଜେପି, ଏବେ ସ୍ବତନ୍ତ୍ର ‘ଇଲେକସନ୍ ମାଷ୍ଟରକ୍ଲାସ୍’ କରିବାକୁ ଯାଉଛି ।…
ଉତ୍ତର ପ୍ରଦେଶରେ ୨୦୨୨ ନିର୍ବାଚନ ପାଇଁ ବିଜେପିର ମଙ୍ଗ ଧରୁଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତମାସରେ ତାଙ୍କର ରହିଛି ମାରଥନ୍ ଗସ୍ତ କାର୍ଯ୍ୟକ୍ରମ । ଆସନ୍ତା ୧୬ ତାରିଖରେ ସୁଲତାନପୁର ଯିବେ ମୋଦି । ଯେଉଁଠି ସେ ଉତ୍ତର ପ୍ରଦେଶର ଦୀର୍ଘତମ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ’ର ଉଦଘାଟନ କରିବେ । ଏହି ଏକ୍ସପ୍ରେସ ୱେ’ରେ ୩ କିଲୋମିଟର ଲମ୍ବର ଏୟାର୍ ଷ୍ଟ୍ରିପ୍ ରହିଛି । ଉଦଘାଟନ ପରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ଏଥି ସହିତ ନଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଆଉ କିଛି ବଡ଼ ବଡ଼ ପ୍ରକଳ୍ପର ଶିଳାନ୍ୟାସ କରିବେ । ୧୯ ତାରିଖରେ ରାଣୀ ଲକ୍ଷ୍ମୀବାଇଙ୍କ ଜୟନ୍ତୀ । ଆଜାଦୀ କୀ ଅମୃତ ମହୋତ୍ସବ ଅବସରରେ ଲକ୍ଷ୍ମୀବାଇଙ୍କ ଜୟନ୍ତୀରେ ଝାନ୍ସୀ ଯିବେ ପ୍ରଧାନମନ୍ତ୍ରୀ । ପୁଣି ୨୦ ଏବଂ ୨୧ ତାରିଖରେ ଉତ୍ତର ପ୍ରଦେଶରେ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ସାମିଲ ହେବେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବାରଣାସୀରେ ନିର୍ମାଣ ହେଉଥିବା କାଶି ବିଶ୍ବନାଥ କରିଡର୍ ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଯାହାକୁ ଉଦଘାଟନ କରିବାକୁ ନିଜ ନିର୍ବାଚନ ମଣ୍ଡଳୀକୁ ଯିବେ ପ୍ରଧାନମନ୍ତ୍ରୀ ।
ନିର୍ବାଚନ ଦୃଷ୍ଟିକୋଣରୁ ନୂଆ କୃଷି ଆଇନ ସରକାରଙ୍କୁ ଅନେକ ମାତ୍ରାରେ ବ୍ୟାକଫୁଟରେ ରଖିଛି । ପୁଣି ଲଖିମପୁର ଖେରି ହିଂସାକାଣ୍ଡ ଉପରେ ଏଯାଏଁ ମୁହଁ ଖୋଲି ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ଗୃହମନ୍ତ୍ରୀ ଅମିତ ଶାହ । ଦରବୃଦ୍ଧି ମଧ୍ୟ ପ୍ରଭାବ ପକାଇବା ଆଶଙ୍କା ଯଥେଷ୍ଟ । ତଥାପି ବିକାଶର ବାଜା ବଜାଇ କ୍ଷମତା ରିପିଟ୍ କରିବାକୁ ଯୋଜନା ଚଳାଇଛି ବିଜେପି । ଶୁକ୍ରବାର ବାରଣାସୀରେ ‘ଇଲେକସନ୍ ମାଷ୍ଟରକ୍ଲାସ୍’ ସାରିବା ପରେ ଶନିବାର ଏସପି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଯାଦବଙ୍କ ଗଡ଼, ଆଜମଗଡ଼ରେ ପଶିବେ ଅମିତ ଶାହ । ଏହିଠାରୁ ହିଁ ବିଜେପି ପାଇଁ ରାଜ୍ୟରେ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିବେ ଶାହ । କିଛିଦିନ ପୂର୍ବରୁ ସମାଜବାଦୀ ପାର୍ଟି ରାଜ୍ୟରେ ବିଜୟ ରଥଯାତ୍ରା ଆରମ୍ଭ କରିଥିବା ବେଳେ ତାକୁ କାଉଁଟର୍ କରିବାକୁ ଅଖିଳେଶଙ୍କ ଗଡ଼ରୁ ହିଁ ବିଜେପି ପାଇଁ ପରିବର୍ତ୍ତନ ଯାତ୍ରାର ରଥ ଗଡ଼ାଇବେ ଅମିତ ଶାହ ।…
ବଡ଼ ରାଜ୍ୟ ଉତ୍ତର ପ୍ରଦେଶ ହିଁ ସବୁ ରାଜନୈତିକ ଦଳ ପାଇଁ ବଡ଼ ଭାଇ ଭଳିଆ । ଏଠି ଯେଉଁ ଦଳ ଦବଦବା ହାସଲ କରିବ, କେନ୍ଦ୍ରରେ ହିଁ ତାର ଦବଦବା ଦେଖିବାକୁ ମିଳିବ । ତେଣୁ କ୍ଷମତା ରିପିଟ୍ ପାଇଁ ବିଜେପି, ସବୁ ବଳ ଖଟାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।
ଉତ୍ତର ପ୍ରଦେଶ ନିର୍ବାଚନରେ ବେହନଜୀ, ମାୟାବତୀଙ୍କ ବିଏସପିର ସ୍ଥିତି ସେତେଟା ଭଲ ନଥିବା ବେଳେ ଅଖିଳେଶ ସିଂହ ଯାଦବଙ୍କ ସମାଜବାଦୀ ପାର୍ଟି ହିଁ ଏଥର ବିଜେପି ପାଇଁ ପୋଟେନସିଆଲ୍ ପ୍ରତିନ୍ଦ୍ବନ୍ଦୀ ହୋଇଛି । ଛୋଟ ଛୋଟ ଆଞ୍ଚଳିକ ଦଳକୁ ଫୋଲ୍ଡକୁ ନେଇ ଗ୍ରାଉଣ୍ଡ ଜିରୋରୁ ବିଜେପି ବିରୋଧରେ ବଳ ଗୋଟାଇବାରେ ଲାଗିଛି ସମାଜବାଦୀ ପାର୍ଟି । ସେପଟେ କଂଗ୍ରେସ ପାଇଁ ମଙ୍ଗ ଧରିଛନ୍ତି ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି । ଲଖିମପୁର ଖେରି ହିଂସାକାଣ୍ଡ ବେଳେ ଲାଇମ୍ ଲାଇଟ୍ରେ ଥାଇ ଯୋଗୀ ସରକାରକୁ କାଠଗଡ଼ାରେ ଛିଡ଼ା କରାଇଥିଲେ ପ୍ରିୟଙ୍କା ଗାନ୍ଧି । ପୁଣି ରାଜ୍ୟର ୪୦ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଇବାକୁ ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ ଦଳ ରାଜ୍ୟରେ କ୍ଷମତାକୁ ଆସିଲେ ଯୁକ୍ତ ଦୁଇ ଝିଅଙ୍କୁ ସ୍ମାର୍ଟ ଫୋନ୍ ଏବଂ ଯୁକ୍ତ ୩ ଝିଅଙ୍କୁ ଇ-ସ୍କୁଟର ଦେବ ବୋଲି କଥା ଦେଇଛନ୍ତି ପ୍ରିୟଙ୍କା ଗାନ୍ଧି । ପ୍ରିୟଙ୍କାଙ୍କ ଅନ୍ୟ ସବୁ ମାଗଣା ଘୋଷଣା ମଧ୍ୟରେ ରହିଛି ୧୦ ଲକ୍ଷ ଟଙ୍କା ଯାଏଁ ମେଡିକାଲ୍ ବୀମା, କୋରୋନା ବେଳେ ଆର୍ଥିକ ଚାପରେ ମୋଡି ହୋଇ ଯାଇଥିବା ପରିବାର ପାଇଁ ୨୫ ହଜାର ଟଙ୍କା ଯାଏଁ ବିଦ୍ୟୁତ୍ ବିଲ୍ ଛାଡ଼, ଧାନ ଏବଂ ଗହମର କ୍ବଣ୍ଟାଲ୍ ପିଛା ମୂଲ୍ୟ ୨୫ ଶହ ଟଙ୍କା, ଆଖୁ କ୍ବଣ୍ଟାଲ୍ ୪ ଶହ ଟଙ୍କା । ସେ ମଧ୍ୟ ଉତ୍ତର ପ୍ରଦେଶରେ କଂଗ୍ରେସ ପାଇଁ ପ୍ରଗତି ଯାତ୍ରାର ଶୁଭାରମ୍ଭ କରି ସାରିଛନ୍ତି ।…
ନିର୍ବାଚନ ପାଖେଇ ଆସୁଥିବା ବେଳେ ଉତ୍ତର ପ୍ରଦେଶରେ ତ୍ରିମୁଖୀ ଲଢେଇ ଆରମ୍ଭ କରି ଦେଇଛନ୍ତି ବିଜେପି, ସମାଜବାଦୀ ପାର୍ଟି ଓ କଂଗ୍ରେସ । ଏସପିର ‘ବିଜୟ ରଥଯାତ୍ରା’କୁ କାଉଁଟର୍ କରିବାକୁ ବିଜେପି ‘ପରିବର୍ତ୍ତନ ଯାତ୍ରା’ କରିବାକୁ ଯାଉଥିବା ବେଳେ ଉତ୍ତର ପ୍ରଦେଶ ରାଜରାସ୍ତାରେ ମାଡ଼ି ଚାଲିଛି ପ୍ରିୟଙ୍କାଙ୍କ ‘ପ୍ରଗତି ଯାତ୍ରା’ । ତେବେ କାହାର କେଉଁ ଯାତ୍ରାକୁ ଉତ୍ତର ପ୍ରଦେଶବାସୀ ପସନ୍ଦ କରିବେ ତାହା କେବଳ ନିର୍ବାଚନ ରେଜଲ୍ଟ ହିଁ ସ୍ପଷ୍ଟ କରିବ ।