ଏଥର ତୁଟିବ କଂଗ୍ରେସର ରାଜସ୍ଥାନ କଳି !

ଜୟପୁର : ପୁଣି ଚର୍ଚ୍ଚାରେ ରାଜସ୍ଥାନ କଂଗ୍ରେସ କଳି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ କଳି ହାଇକମାଣ୍ଡଙ୍କ ନିକଟରେ ପହଞ୍ଚିଛି । ପୂର୍ବରୁ ଦୁଇ ନେତା ଏକାଧିକ ଥର ହାଇକମାଣ୍ଡଙ୍କୁ ଭେଟି ସାରିଥିବା ବେଳେ, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଦିଲ୍ଲୀ ଗସ୍ତ, ରାଜସ୍ଥାନର କଂଗ୍ରେସ ରାଜନୀତିକୁ ଚଳଚଞ୍ଚଳ କରିଛି । ଗେହଲଟ୍, ବୁଧବାର କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଥିଲେ । ବୈଠକରେ ଉପସ୍ଥିତ ଥିଲେ ରାଜ୍ୟ ପ୍ରଭାରୀ ଅଜୟ ମାକନ୍ ଏବଂ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ । 

ଗୁରୁବାର ୧୦ ଜନପଥରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଗେହଲଟଙ୍କର ହୋଇଛି ସାକ୍ଷାତ ଆଲୋଚନା । ରାଜସ୍ଥାନରେ କଂଗ୍ରେସ ସରକାରଙ୍କ ପରଫରମାନ୍ସ ଏବଂ ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ସମେତ ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସୋନିଆଙ୍କୁ ଅବଗତ କରାଇଛନ୍ତି ଗେହଲଟ୍ । ତେବେ ସବୁଠୁ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ରାଜସ୍ଥାନରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ । ବେଶ କିଛି ମାସ ହେଲା ଚର୍ଚ୍ଚା ହୋଇ ଆସୁଛି ଯେ, ଗେହଲଟ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ । ମାତ୍ର ଏହା ଭିତରେ ଢେର ଦିନ ବିତିଯାଇଥିବା ବେଳେ, ବିଭିନ୍ନ ବାହାନା ଦେଖାଇ ନିଷ୍ପତ୍ତି ଘୁଞ୍ଚାଇ ଚାଲିଛନ୍ତି ଗେହଲଟ୍ । ତେବେ ସୋନିଆଙ୍କ ସହ ସାକ୍ଷାତ ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି । …

ଗେହଲଟ୍-ସୋନିଆଙ୍କ ଭେଟଘାଟ୍ ପରେ, ରାଜସ୍ଥାନ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଜୋର ଧରିଛି । ଗେହଲଟଙ୍କୁ ଦିଲ୍ଲୀ ଡକରା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ରାଜ୍ୟ କ୍ୟାବିନେଟ ସଂପ୍ରସାରଣ ବେଳେ ୱାନ ମ୍ୟାନ, ୱାନ ପୋଷ୍ଟ ଫର୍ମୁଲା ବ୍ୟବହାର ହେବ ବୋଲି କଂଗ୍ରେସ ମହଲରୁ ଶୁଣିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପ୍ରସଙ୍ଗରେ ଗଣାମାଧ୍ୟମରେ ମୁହଁ ଖୋଲି ନଥିବା ବେଳେ, ୨୦୨୩ ନିର୍ବାଚନ କଥା କହିଛନ୍ତି । କଂଗ୍ରେସ କିପରି ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ପୁଣି ଥରେ କ୍ଷମତାକୁ ଫେରିବ, ସେ ନେଇ ସୋନିଆ ଗାନ୍ଧିଙ୍କ ସହ ବିଚାର ବିମର୍ଶ ସହ ରୋଡ ମ୍ୟାପ ପ୍ରସ୍ତୁତ ହୋଇଥିବା କହିଛନ୍ତି ଗେହଲଟ୍ ।…

ଗେହଲଟଙ୍କୁ ଦିଲ୍ଲୀ ଡାକରା ଏବଂ ହାଇକମାଣ୍ଡଙ୍କ ସହ ଆଲୋଚନା ଉପରେ ପ୍ରତିକ୍ରିୟା ରଖିଛନ୍ତି ସଚିନ ପାଇଲଟ । ସେ କହିଛନ୍ତି ଯେ, ଯେଉଁମାନଙ୍କ ପାଇଁ ଦଳ, ଗତ ବିଧାନସଭା ନିର୍ବାଚନରେ ବିଜୟୀ ହେଲା, ସେମାନଙ୍କୁ ସରକାରରେ ଭାଗିଦାରି କରିବା ସହ ରାଜନୈତିକ ଦାୟିତ୍ବ ପ୍ରଦାନ କରିବା ଜରୁରୀ । ରାଜସ୍ଥାନରେ ପରବର୍ତ୍ତୀ ବିଧାନସଭା ନିର୍ବାଚନକୁ ୨ ବର୍ଷରୁ କମ ସମୟ ଥିବା ବେଳେ, ଏଥିରେ ଆଉ ବିଳମ୍ବ କରିବା ଅନୁଚିତ ।…

ଗେହଲଟ୍ ଏବଂ ପାଇଲଟଙ୍କ ପ୍ରସଙ୍ଗରେ ରାଜ୍ୟ ପ୍ରଭାରୀ ଅଜୟ ମାକେନଙ୍କ କହିବା କଥା, ରାଜସ୍ଥାନ କଂଗ୍ରେସକୁ ନେଇ ଅନେକ ବିଷୟ ରହିଛି । ସେ ସବୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ରାଜସ୍ଥାନରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଉପରେ ନଜର ରଖିଛନ୍ତି ଉଭୟ ଗେହଲଟ୍ ଏବଂ ପାଇଲଟ କ୍ୟାମ୍ପ । ଗେହଲଟଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲବି ଚଳାଇଥିବା ବେଳେ, ପାଇଲଟ କ୍ୟାମ୍ପ, ରାହୁଲ ଏବଂ ପ୍ରିୟଙ୍କାଙ୍କ ଉପରେ ଆସ୍ଥା ରଖିଛନ୍ତି । ନିଜେ ପାଇଲଟ ମଧ୍ୟ ଅନେକ ଥର ରାହୁଲ ଓ ପ୍ରୟଙ୍କାଙ୍କୁ ଭେଟି ନିଜ କ୍ୟାମ୍ପର କିଛି ନାମ ସୁପାରିସ କରିଛନ୍ତି । ପୂର୍ବତନ ରାଜସ୍ଥାନ ପିସିସି ସାଧାରଣ ସମ୍ପାଦକ ମହେଶ ଶର୍ମା କହିଛନ୍ତି ଯେ, ସଚିନଙ୍କ ପାଇଲଟଙ୍କ କଠିନ ପରିଶ୍ରମ ଯୋଗୁଁ, ରାଜ୍ୟରେ କଂଗ୍ରେସ ସରକାର ଗଠନ ସମ୍ଭବ ହୋଇଛି । ତେଣୁ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ସୁଯୋଗ ମିଳିବା ଦରକାର । ସୂଚନା ଅନୁସାରେ, ଗେହଲଟଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ଅତିକମରେ ପାଇଲଟଙ୍କ ୪ ଜଣ ଅନୁଗାମୀଙ୍କୁ କ୍ୟାବିନେଟ ପାହ୍ୟା ମିଳିପାରେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୧ ଜଣ ମନ୍ତ୍ରୀ ଥିବା ବେଳେ, ଆଉ ୯ ଜଣଙ୍କୁ ସାମିଲ କାରାଯାଇ ପାରିବ । ସେହିପରି କିଛି ବିଧାୟକଙ୍କୁ ଜିଲ୍ଲାସ୍ତରୀୟ ନେତୃତ୍ବ ମଧ୍ୟ ଦିଆୟାଇ ପାରିବ ।

କଂଗ୍ରେସ ହାଇକମାଣ୍ଡଙ୍କ ପଞ୍ଜାବ ଫର୍ମୁଲା କାମ ନ କରିବା ପରେ ରାଜସ୍ଥାନ ଏବଂ ଛତିଶଗଡ଼ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନ ସମ୍ଭାବନାରେ ବି ବ୍ରେକ୍ ଲାଗିଥିଲା । ମାତ୍ର ଏବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ହାଇକମାଣ୍ଡଙ୍କ ଦିଲ୍ଲୀ ଡାକରା ପରେ, ଉଭୟ ଗେହଲଟ୍ ଏବଂ ପାଇଲଟଙ୍କ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା ପାଇଁ ପୁଣି ଥରେ ଆରମ୍ଭ ହୋଇଛି ଉଦ୍ୟମ ।

Leave A Reply

Your email address will not be published.