ନିର୍ବାଚନୀ ଗୁଗ୍ଲୀ !
ଭୁବନେଶ୍ୱର : ଠିକ୍ ଟାଇମ୍ରେ ଗୁଗ୍ଲି । କରତାରପୁର କରିଡର୍ ଖୋଲି ଦେବାର ଦୁଇଦିନ ପରେ… ଶୀତ ଅଧିବେଶନର ୯ ଦିନ ପୂର୍ବରୁ… ପୁଣି ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନର ମାସ କେଇଟା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପକାଇଛନ୍ତି ଗୁଗ୍ଲି । ଯାହା ବିରୋଧୀଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛି । ବିବାଦୀୟ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ବିଜୟ ଉତ୍ସବ ମନାଇ କୁରୁଳି ଉଠିଛନ୍ତି ବିରୋଧୀ । କ୍ରେଡିଟ୍ ନେବାକୁ ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଟଣା-ଓଟରା ।
କଂଗ୍ରେସ ଠାରୁ ଆରମ୍ଭ କରି ଆମ୍ ଆଦମୀ ପାର୍ଟି… ନୂଆ କୃଷି ଆଇନକୁ ବିରୋଧ କରି, କୃଷକଙ୍କୁ ସମର୍ଥନ କରୁଥିବା ପ୍ରାୟ ସବୁ ବିରୋଧୀ ରାଜନୈତିକ ଦଳଙ୍କ ଖୁସି କହିଲେ ନସରେ । କିଏ ମିଠା ବାଣ୍ଟିଛି… ତ କିଏ ନଣ୍ଡା ହୋଇଛି । ସରକାର ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ କହି ସେମାନେ ଏତେ ଖୁସି ହୋଇ ଯାଇଛନ୍ତି ଯେ, ସେମାନଙ୍କ ପାଦ ତଳେ ଲାଗୁନି ।
ନା ନା କହି ପୂରା କାଟି ଦେଇଥିଲେ । ଧରା ଛୁଆଁ ଦେଉ ନଥିଲେ । ଆଇନ କେବେ ବି ପ୍ରତ୍ୟାହାର ହେବନି ବୋଲି ବାରମ୍ବାର ଦୋହରାଇ ଚାଲିଥିଲେ । କିନ୍ତୁ ହଠାତ୍ ସରକାର ନେଲେ ୟୁ-ଟର୍ଣ୍ଣ । ତେବେ କାହିଁକି ? କାହିଁକି ୩ଟି ଯାକ ନୂଆ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ ସରକାର ? ହିଁ, ଏ ହେଉଛି ସମ୍ପୂର୍ଣ୍ଣ ରୂପେ ପଲିଟିକାଲ୍ ଗୁଗ୍ଲି । ପକାଇଥିବା ଛେପ ସରକାର ଢୋକିଛନ୍ତି ସତ… ବିରୋଧୀଙ୍କୁ ବିଜୟର ଲଡୁ ଖୁଆଇ ସେମାନଙ୍କ ପାଦ ମାଟି ଉପରକୁ ଉଠାଇ ଦେଇଛନ୍ତି ସତ । କିନ୍ତୁ ଏ ଗୁଗ୍ଲି ବିରୋଧୀଙ୍କ ପାଦ ତଳର ମାଟି ଖସାଇ ଦେଇଛି… ସେମାନଙ୍କ ମୁଣ୍ଡରେ ବଜ୍ର ଚଡ଼କ ପକାଇ ଦେଇଛି । ଆଗକୁ ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନ ଥିବା ବେଳେ ବିରୋଧୀଙ୍କ ସବୁ ଯୋଜନାକୁ ପଣ୍ଡ କରି ଦେଇଛି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ।
ନୂଆ କୃଷି ଆଇନକୁ ନେଇ ପଞ୍ଜାବରେ ବହୁଥିଲା ପୂରା ବିଜେପି ବିରୋଧୀ ହାୱା । କୃଷକ ସଂପ୍ରଦାୟକୁ ଭୋଟ୍ ବ୍ୟାଙ୍କ ବୋଲି ଧରି ନେଇ ବିଜେପି ବିରୋଧରେ ବଡ଼ ପଏଣ୍ଟ ସ୍କୋର୍ କରିବାକୁ ଯୋଜନା ଚଳାଇଥିଲେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି । କୃଷି ଆଇନ ପ୍ରତ୍ୟାହାର, ପଞ୍ଜାବ ପଲିଟିକ୍ସକୁ ବେଶୀ ପ୍ରଭାବିତ କରିବା ସମ୍ଭାବନା ରହିଛି । କାରଣ ଅପଦସ୍ତ ହୋଇ କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ଏବେ ରାଜ୍ୟରେ ପ୍ରୋ-ଫାର୍ମର ନେତା ହେବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଅମରିନ୍ଦର, ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ବିଜେପି ସହ ମିଶିବା ପ୍ରସଙ୍ଗକୁ ସେ ଏଡ଼ାଇ ଦେଇଥିଲେ । କୃଷି ଆଇନ ପ୍ରତ୍ୟାହାର ବାବଦରେ ହିଁ ସେ ଆଲୋଚନା କରିଥିବା ସେତେବେଳେ କହିଥିଲେ ।
କାଉ ଉଡ଼ିବାକୁ ତାଳ ପଡ଼ିଛି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା, କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପାଇଁ ରେଡ୍ କାର୍ପେଟ୍ ସଦୃଶ ହୋଇଛି । ଯଦି କ୍ୟାପଟେନ୍ ନୂଆ ଦଳ ଗଢ଼ନ୍ତି ତେବେ, ବର୍ତ୍ତମାନ ସେ ବିଜେପି ସହ ମେଣ୍ଟ କରିବା ଏକପ୍ରକାର ସୁବିଧା ହୋଇଛି । କାରଣ ତାଳିପକା ଥଇଥାନ ପରେ ବି ପଞ୍ଜାବରେ କଂଗ୍ରେସ କନ୍ଦଳରେ ପୂର୍ଣ୍ଣଚ୍ଛେଦ ପଡ଼ିନି । ସେପଟେ କୃଷି ଆଇନ ପ୍ରତ୍ୟାହାର, କଂଗ୍ରେସ ବିରୋଧରେ ପଏଣ୍ଟ ସ୍କୋର୍ କରିବାକୁ କ୍ୟାପଟେନଙ୍କୁ ଦେଇଛି ଜବରଦସ୍ତ ସୁଯୋଗ । ଯାହା ସିଧାସଳଖ ବିଜେପି ପାଇଁ ଫାଇଦା । ସେପଟେ ଏହି କୃଷି ଆଇନକୁ ବିରୋଧ କରି ବିଜେପି ଠାରୁ ଦୀର୍ଘ ଦିନର ସମ୍ପର୍କ ଛିନ୍ନ କରି ଦେଇଥିବା ଶିରୋମଣି ଅକାଳୀ ଦଳ ମଧ୍ୟ ଘାଟାରେ ପଡ଼ିବାକୁ ଯାଉଛି । କାରଣ ମୋଦିଙ୍କ ଗୁଗ୍ଲି, ଅକାଳୀ ଦଳର ଚାଷୀ କାର୍ଡକୁ ଦେଇଛି ଜବରଦସ୍ତ ଚେକ୍ ।
ବିଗ୍ ଷ୍ଟେଟ୍ ଉତ୍ତର ପ୍ରଦେଶରେ ବି ବିଜେପିକୁ ଘାଟାରେ ପକାଇବା ସ୍ଥିତିରେ ଥିଲା ଏହି ୩ଟି ଯାକ ବିବାଦୀୟ କୃଷି ଆଇନ । ବିଶେଷ କରି ପଶ୍ଚିମ ଉତ୍ତର ପ୍ରଦେଶରେ ବିଜେପି ବିରୋଧୀ ହାୱା ଜୋରଦାର ବହୁଥିଲା । କୃଷି ଆଇନକୁ ମୁଦ୍ଦା କରି, ବିଜେପି ବିରୋଧରେ ଗ୍ରାଉଣ୍ଡ ଜିରୋରୁ ବଳ ଗୋଟାଇବାରେ ଲାଗିଥିଲେ ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଲୋକ ଦଳ ଏବଂ ଓମପ୍ରକାଶ ରାଜଭରଙ୍କ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଓଗେର । କୃଷି ଆଇନକୁ ନେଇ ବିଜେପି ବିରୋଧରେ ଭଲ ରକମ ହାୱା ସୃଷ୍ଟି କରି ଚାଲିଥିଲେ ସେମାନେ । କିନ୍ତୁ ମୋଦିଙ୍କ ଘୋଷଣା, ପାହାଡ଼ ହୋଇ ସେହି ହାୱାକୁ ଉଜାଣି ବହିବାକୁ ଏକରକମ ପରିସ୍ଥିତି ସୃଷ୍ଟି କରିଛି ।
ଆଉ ୯ ଦିନ ପରେ ଆରମ୍ଭ ହେବ ପାର୍ଲାମେଣ୍ଟର ଶୀତ ଅଧିବେଶନ । ବର୍ଷେ ଧରି ଚାଲିଥିବା ଚାଷୀ ଆନ୍ଦୋଳନକୁ ମୁଖ୍ୟ ମୁଦ୍ଦା କରି ସରକାରଙ୍କୁ ନଚାଇବାକୁ ବିରୋଧୀ ଜୋରଦାର୍ ସଜବାଜ ଚଳାଇଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ବିରୋଧୀଙ୍କ ଗ୍ରୀନ୍ ରୁମ୍କୁ ଅନ୍ଧାର କରି ଦେଇଥିବା ବେଳେ ପାର୍ଲାମେଣ୍ଟରେ ସରକାରଙ୍କ ଷ୍ଟେଜ୍କୁ କରିଛି ମଜଭୁତ୍ । ଗୋଟିଏ ଗୁଳିରେ ଦୁଇଟି ଶିକାର । ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ପଞ୍ଜାବ ଓ ଉତ୍ତର ପ୍ରଦେଶର ରାଜନୈତିକ ପାଣିପାଗକୁ ବଦଳାଇ ଦେଇଛି । ପୁଣି ବିରୋଧୀଙ୍କ ପାର୍ଲାମେଣ୍ଟ ପ୍ଲାନ୍କୁ ପଣ୍ଡ କରି ଦେଇଛି ।