ସରିଲା ଆନ୍ଦୋଳନଜୀବୀଙ୍କ ଖେଳ, ଏବେ ନିର୍ବାଚନଜୀବୀଙ୍କ ବେଳ

ଭୁବନେଶ୍ୱର : ସାରା ଦେଶରେ ଝଡ଼ ପରର ନିରବତା । ପ୍ରଧାନମନ୍ତ୍ରୀଙ୍କ ଷ୍ଟଣ୍ଟ୍ ପରେ ସାରା ଦେଶ ସ୍ତବ୍ଧ । ପାଞ୍ଚ ନିର୍ବାଚନ ପୂର୍ବରୁ ୩ କୃଷି ଆଇନକୁ ସରକାର ପ୍ରତ୍ୟାହାର କରିବେ ବୋଲି ଘୋଷଣା କରିବା ପରେ ବିରୋଧୀଙ୍କ ଅକଲ୍ ଗୁଡୁମ୍ ହୋଇଯାଇଛି । ଚାଷୀଙ୍କର ଜିତ୍, ସରକାର ହାରିଲେ କହି ନିଜ ବାଜା ନିଜେ ବଜାଇବା ଛଡ଼ା, ବିରୋଧୀଙ୍କ ପାଖରେ ବର୍ତ୍ତମାନ ପାଇଁ ଆଉ କିଛି ବକଳ୍ପ ନାହିଁ । କାରଣ ଗୋଟିଏ ଗୁଳିରେ, ବିରୋଧୀଙ୍କ ପାର୍ଲାମେଣ୍ଟ ପଣ୍ଡ ଯୋଜନା ଏବଂ ନିର୍ବାଚନୀ ରଣହୁଂକାରକୁ ଜବରଦସ୍ତ ଝଟକା ଲଗାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।…

ମୋଦିଙ୍କ ମାଷ୍ଟର୍ ଷ୍ଟ୍ରୋକରେ ଘାଇଲା ବିରୋଧୀ, ବିକଳ୍ପ ନିର୍ବାଚନୀ ମୁଦ୍ଦା ଖୋଜିବାରେ ବ୍ୟସ୍ତ । ସେପଟେ କିନ୍ତୁ ପାର୍ଲାମେଣ୍ଟରେ ସାମ୍ବିଧାନିକ ଭାବେ ଆଇନ ରଦ୍ଦ ନହେବା ପର୍ଯ୍ୟନ୍ତ ଦିଲ୍ଲୀ ସୀମାରୁ ଟେଣ୍ଟ ଭାଙ୍ଗିବେ ନାହିଁ ବୋଲି କହିଛନ୍ତି । ଦିଲ୍ଲୀ-ହରିୟାଣା ସୀମାନ୍ତ ସିଂଘୁ ଆନ୍ଦୋଳନସ୍ଥଳରେ ସଂଯୁକ୍ତ କିଷାନ ମୋର୍ଚ୍ଚାର କୋର୍ କମିଟି ବୈଠକ ବସିଥିଲା । ସଂସଦରେ ଆଇନ ରଦ୍ଦ ହେବା ପରେ ହିଁ ଆନ୍ଦୋଳନରୁ ହଟିବେ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି । ତଥାପି ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ସେମାନେ ସରକାରଙ୍କ ଠାରୁ ଲିଗାଲ୍ ଗ୍ୟାରେଣ୍ଟି ଦାବି କରିବେ ବୋଲି କହିଛନ୍ତି ।…

କୃଷି ଆଇନ ପ୍ରତ୍ୟାହାର ଚାଷୀଙ୍କୁ କେତେ ସୁବିଧା ଦେବ ତାହା ସମୟ କହିବ । କିନ୍ତୁ ଏହା ଯେ ଏକ ପଲିଟିକାଲ୍ ଗିମିକ୍ ଥିଲା, ତାହା ଗୋଟେ ପ୍ରକାର ସ୍ପଷ୍ଟ ହୋଇଯାଇଛି । ସେପଟେ କୃଷି ଭିତ୍ତିକ ଶିଳ୍ପ କ୍ଷେତ୍ରରେ ଏହାର ପ୍ରଭାବ ନିଶ୍ଚିତ ଭାବେ ପଡ଼ିବାକୁ ଯାଉଛି । ଯଦିଓ ଆଇନ ଆସିଥିଲା, କିନ୍ତୁ ଲାଗୁ ହୋଇ ନଥିଲା… ଏହା ଅର୍ଥନୈତିକ ବଜାର ଉପରେ ହଠାତ୍ କିଛି ପ୍ରଭାବ ପକାଇ ନପାରେ । କିନ୍ତୁ ଧୀରେ ଧୀରେ ଏହାର ଦୀର୍ଘକାଳୀନ ପ୍ରଭାବ ଦେଖିବାକୁ ମିଳିବା ସମ୍ଭାବନା ରହୁଛି ।…

ନୂଆ କୃଷି ଆଇନ କାର୍ଯ୍ୟକାରୀ ହୋଇଥିଲେ ଚାଷୀମାନେ ସେମାନଙ୍କ ଉତ୍ପାଦ ଦେଶର ଯେ କୌଣସି ସ୍ଥାନରେ ବିକ୍ରି କରିପାରିଥାନ୍ତେ । ଯାହା ଏଗ୍ରିକଲଚର୍ ପ୍ରଡ୍ୟୁସ୍ ମାର୍କେଟିଂ କମିଟି ବା APMCର ଏକଚାଟିଆ ନୀତିକୁ ଧୀରେ ଧୀରେ ଦବାଇ ଦେଇଥାନ୍ତା । କଂଟ୍ରାକ୍ଟ ଫାର୍ମିଂ ପାଇଁ ଏକ ଆଇନଗତ ପରିବେଶ ସୃଷ୍ଟି କରିପାରି ଥାନ୍ତା । ଏଭଳି କ୍ଷେତ୍ରରେ କ୍ଷତିଗ୍ରସ୍ତ ଚାଷ କିମ୍ବା ଫସଲର ଭରଣା ପାଇଁ ନିବେଶକ ହିଁ ଦାୟୀ ରହିଥାନ୍ତେ ।

ଆଇନ ଅନୁଯାୟୀ କିଛି କୃଷିଜାତ ଉତ୍ପାଦର ମହଜୁଦ୍ ସୀମା ନିର୍ଦ୍ଦିଷ୍ଟ ସୀମା ଯାଏଁ ନିୟନ୍ତ୍ରଣ ରହିଥାନ୍ତା, ଯାହା ସିଧାସଳଖ ଦର ନିୟନ୍ତ୍ରଣରେ ସହାୟକ ହୋଇଥାନ୍ତା । କିନ୍ତୁ କାହିଁକି ହୋଇପାରିଲା ନାହିଁ ? ଚାଷୀଙ୍କ ଜିଦ୍, ବିରୋଧୀଙ୍କ ରାଜନୈତିକ ବିରୋଧ ଆଇନକୁ ଝଟକା ଦେଇଛି । ସେପଟେ ସରକାର ତରବରିଆ ଭାବେ ଅଧ୍ୟାଦେଶ ଆଣି ଆଇନରେ ପରିଣତ କରାଇ ନେବା, ଆଲୋଚନା ବେଳେ ବିରୋଧୀଙ୍କୁ ବିଶ୍ବାସକୁ ନନେବା, ଆଇନ ଉପରେ ସନ୍ଦେହ ସୃଷ୍ଟି କଲା । ଯାହା ସ୍ପଷ୍ଟ କରିଦେଲା ଯେ, ଆଇନରେ କୃଷି ଏବଂ କୃଷକଙ୍କ ହିତ ସାଧନ ଉଦ୍ଦେଶ୍ୟ କମ୍ ଥଲା, ରାଜନୀତି ବେଶୀ ଥିଲା ।

 କାରଣ, ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି, ଆଇନରେ କିଛିଟା ସଂଶୋଧନ ଆଣିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସରକାର ତାହା ବିଚାରକୁ ନେଇ ନାହାନ୍ତି । ବରଂ ନିର୍ବାଚନକୁ ନଜରରେ ରଖି ପ୍ରତ୍ୟାହାର ନିଷ୍ପତ୍ତି ନେଇଥିବା ଭଳି ମନେ ହୁଏ । ଠିକ୍ ଯେମିତି ୧୯୭୭ର ନିର୍ବାଚନ ପୂର୍ବରୁ ଜରୁରୀକାଳୀନ ପରିସ୍ଥିତି ହଟାଇବାକୁ ବାଧ୍ୟ ହୋଇଥିଲେ ସେତେବେଳେର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି । କୃଷି ଆଇନ ପ୍ରତ୍ୟାହାର ହେବାକୁ ଯାଉଥିବା ବେଳେ ସରିଛି ଆନ୍ଦୋଳନଜୀବୀଙ୍କ ଖେଳ, ଆଉ ଆରମ୍ଭ ହୋଇଛି ନିର୍ବାଚନଜୀବୀଙ୍କ ବେଳ ।

Leave A Reply

Your email address will not be published.