ସତ୍ତାର ସମରସଜାରେ ସତ୍ତା ହରାଉଛି କଂଗ୍ରେସ

ଭୁବନେଶ୍ୱର : ପାଞ୍ଚ ରାଜ୍ୟ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆରମ୍ଭ ହୋଇଯାଇଛି ସତ୍ତାର ସମରସଜା । ବିଜେପି ବିରୋଧରେ ବଳ ଗୋଟାଇବାରେ ଲାଗିଛନ୍ତି ବିଭିନ୍ନ ଆଞ୍ଚଳିକ ଦଳ । କିନ୍ତୁ ସତ୍ତାର ଖେଳରେ ସତ୍ତା ହରାଇବାକୁ ବସିଲାଣି ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ । ତେବେ କାହିଁକି କଂଗ୍ରେସର ଏଭଳି ସ୍ଥିତି ? କାହିଁକି ଦିନକୁ ଦିନ ଦୁର୍ବଳ ହୋଇଯାଉଛି ଦଳ ? କେଉଁଠି ରହିଛି ଅସୁବିଧା ?

ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାର ୧୨ ଜଣ ସାଂସଦଙ୍କୁ ପୂରା ଅଧିବେଶନରୁ ସସ୍‌ପେଣ୍ଡ କରାଯାଇଛି । ଏହାକୁ ନେଇ ଦ୍ବିତୀୟ ଦିନରେ ରାଜ୍ୟସଭାରେ ବିଭିନ୍ନ ରାଜନୈତିକ ଦଳ ପ୍ରସଙ୍ଗ କରିଛନ୍ତି । କଂଗ୍ରେସ ଏ ନେଇ ଏକ ପତ୍ର ମଧ୍ୟ ଜାରି କରିଛି । ଏହାସହ ଦଳୀୟ ନେତାଙ୍କ ମଧ୍ୟରେ ଦୁଇ ଫାଳିଆ ମନ୍ତବ୍ୟ ମଧ୍ୟ ଦେଖିବାକୁ ମିଳିଛି । ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଭଳି ନେତା ଟିଏମ୍‌ସି ସହ ସାଙ୍ଗ ହୋଇ ଯିବାକୁ ଚାହୁଁଥିବା ବେଳେ କେସି ବେଣୁଗୋପାଳ ଏବଂ ଅଧିରଞ୍ଜନ ଚୌଧରୀଙ୍କ ଭଳି ନେତା ଟିଏମ୍‌ସି ନାଁ ଶୁଣିଲେ ନାକ ଟେକୁଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ବିଜେପିର ଭୋଟ୍ ରାଜନୀତି ବିରୋଧରେ କଂଗ୍ରେସ କାହା ସହ ମେଳି କରି ଲଢ଼େଇ କରିବାକୁ ଚାହୁଁ ନାହିଁ । ଯାହାର ମୂଲ ଦଳକୁ ପ୍ରତି ମୁହୂର୍ତ୍ତରେ ଦେବାକୁ ପଡୁଛି ।..

୨୦୧୪ ମସିହା ପରଠାରୁ ବିଜେପି ତା ରାଜନୀତିର ସଂଜ୍ଞା ବଦଳାଇ ଦେଇଛି । ଭାରତକୁ କଂଗ୍ରେସ ମୁକ୍ତ କରିବାର ଦୃଢ଼ ସଂକଳ୍ପ ଦଳକୁ ଲଗାତାର ଭାବେ ଦୁଇ ଥର କ୍ଷମତାକୁ ଆଣିବାରେ ସଫଳ କରିଛି । ତେଣୁ ବିଜେପିକୁ ହରାଇବାକୁ ହେଲେ କଂଗ୍ରେସକୁ ଆହୁରି ଲିବେରାଲ ହେବାକୁ ପଡ଼ିବ । ମାତ୍ର, କଂଗ୍ରେସ ହଙ୍ଗର ଅଫ୍ ପାୱାର ଭିତରେ ସୀମିତ ରହିବାକୁ ଚାହୁଁଛି । ୧୯୯୬ ମସିହାରେ ଏଚଡି ଦେବଗୌଡ଼ାଙ୍କ ସମୟରେ ବିଜେପି ସରକାର ଭାଙ୍ଗି ନଥିଲା । କଂଗ୍ରେସ ନିଜେ ସମର୍ଥନ ପ୍ରତ୍ୟାହାର କରିଥିଲା । ଏହା ପୂର୍ବରୁ ମଧ୍ୟ କଂଗ୍ରେସର ସରକାର ଗଢ଼ିବା ଏବଂ ପରେ ଭାଙ୍ଗିଦେବା ନଜିର ଅନେକ ରହିଛି ।

ତେଣୁ, ତୃଣମୂଳ କଂଗ୍ରେସ ହେଉ ଅବା ଆମ୍ ଆଦମୀ ପାର୍ଟି ଅବା ସମାଜବାଦୀ ପାର୍ଟି, ଭଳି ଦଳଗୁଡ଼ିକ ସହ ମେଣ୍ଟ କରିବାକୁ ଚାହୁଁନାହିଁ କଂଗ୍ରେସ । କପିଲ ସିବଲ, ଗୁଲାମ ନବୀ ଆଜାଦଙ୍କ ଭଳି ଅନେକ ବରିଷ୍ଠ ନେତା ଦଳର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ବାରମ୍ବାର ଦାବି କରି ଆସୁଛନ୍ତି । କିନ୍ତୁ କିଛି ମାସ ପୂର୍ବେ ବସିଥିବା ଏଆଇସିସି ବୈଠକରେ ସୋନିଆ ନିଜକୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ କହି ପରିବାର ଭିତରେ ପୁଣି ଥରେ ଦଳକୁ ସୀମିତ ରଖିବାର ପ୍ରୟାସ କରିଛନ୍ତି । ଯାହା ପରିଣାମ ଆଗାମୀ ଦିନରେ ଦଳକୁ ଭୋଗିବାକୁ ପଡ଼ିବ ।…

ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ଆଗକୁ ନିର୍ବାଚନ ଅଛି । ୟୁପିରେ ବିଜେପି ବିକାଶର ରାଜନୀତି କରୁଥିବା ବେଳେ ଅଖିଲେଶ ଯାଦବ ତୃଣମୂଳସ୍ତରରେ ନିଜର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିଛନ୍ତି । ସେଥିପାଇଁ ସୁହେଲଦେବ ଭାରତୀୟ ସମାଜବାଦୀ ପାର୍ଟି ସମେତ ଛୋଟ ଛୋଟ ଆଞ୍ଚଳିକ ଦଳଗୁଡ଼ିକୁ ସାଥୀରେ ନେଇ ବିଜେପିକୁ ଚେକ୍ ଦେବାକୁ ଉଦ୍ୟମ କରୁଛନ୍ତି । ସେହିପରି ଆମ୍‌ ଆଦମୀ ପାର୍ଟି ମଧ୍ୟ ଅଖିଲେଶଙ୍କ ସହ ମେଣ୍ଟ କରି ଦିଲ୍ଲୀ ଏନସିଆର ଏବଂ ନଏଡ଼ାର କିଛି ଆସନରେ ପ୍ରାର୍ଥୀ ଦେଇପାରେ । କହିବାକୁ ଗଲେ, ବିଜୟୀ ନ ହେଲେ ବି ବିଜେପିର ଭୋଟ୍ ହାର ହ୍ରାସ କରିବାକୁ ଆପ୍ ଏଠାରେ ଅଖିଲେଶଙ୍କ ସାହାରା ନେବ ।

ବିଏସପି ସୁପ୍ରିମୋ ମାୟାବତୀ ଦଳିତ କାର୍ଡ ଖେଳି ସମସ୍ତ ୪୦୩ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି । ଏହାସହ ସବୁ ବର୍ଗର ଲୋକଙ୍କ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି । କଂଗ୍ରେସ କିନ୍ତୁ ଏଠି କେବଳ ପ୍ରିୟଙ୍କା ଗାନ୍ଧିଙ୍କୁ ଫ୍ରଣ୍ଟ ଫୁଟ୍‌ରେ ଖେଳାଉଛି । ଜାଣିଶୁଣି ପ୍ରିୟଙ୍କାଙ୍କୁ କେବଳ ଉତ୍ତର ପ୍ରଦେଶ ରାଜନୀତିରେ ସୀମିତ ରଖାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାରଣ, ୟୁପି ବାହାରେ ତାଙ୍କୁ ପ୍ରାଧାନ୍ୟ ଦିଆଗଲେ, ରାହୁଲଙ୍କ ଉପରେ ସେ ଭାରି ପଡ଼ିବେ ।…

ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଗୋଆରେ ତୃଣମୂଳ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ସତ୍ତା ହାସଲ କରିବା ଚକ୍କରରେ ଅଛନ୍ତି । ପଞ୍ଜାବରେ ଚରଣଜିତ ସିଂହ ଚନ୍ନିଙ୍କୁ ଦଳିତ ମୁଖ୍ୟମନ୍ତ୍ରୀ କରି କଂଗ୍ରେସ ଯେଉଁ ଉଦ୍ୟମ କରିଥିଲା, ଆପ୍ ସେଠାରେ କଂଗ୍ରେସର ଚାଲ୍‌କୁ ଭଣ୍ଡୁର କରି ଦେଇଛି । ସେହିପରି କେନ୍ଦ୍ର ସରକାର, କୃଷି ଆଇନ ପ୍ରତ୍ୟାହାର କରି କଂଗ୍ରେସର ମୂଳ ଉପାଡ଼ି ଦେଇଛନ୍ତି । ଗୋଆ କଥା ବିଚାର କଲେ, ସେଠାରେ ଆପ୍ ଅପେକ୍ଷା ଟିଏମ୍‌ସିର କାଟ୍‌ତି ବୃଦ୍ଧି ପାଉଛି । କଂଗ୍ରେସରୁ ଅନେକ ନେତାଙ୍କୁ ଟିଏମ୍‌ସି ନିଜ ଦଳରେ ସାମିଲ କରି ଦେଶର ସର୍ବ ପୂରାତନ ଦଳକୁ ମାଟିରେ ମିଶାଇବାକୁ ପ୍ରୟାସ କରୁଛି । ଦେବଭୂମି ଉତ୍ତରାଖଣ୍ଡରେ ହରୀଶ ରାୱତଙ୍କୁ କଂଗ୍ରେସ ନିର୍ବାଚନ ଦାୟିତ୍ବ ଦେଇ ଭୋଟ୍ ହାସଲ ଲକ୍ଷ୍ୟରେ ଅଛି । ମାତ୍ର ସେଠାରେ ବିଜେପି ଓ ଆପ୍‌ର ହିନ୍ଦୁବାଦୀ ପଲିଟିକ୍ସ. କଂଗ୍ରେସକୁ ସତ୍ତାରୁ ଆଉଟ୍ କରିବାକୁ ଏକ ପ୍ରକାର ସହଜ କରି ଦେଇଛି ।

ସେହିପରି ପଶ୍ଚିମବଙ୍ଗରେ ପୁଣି ଥରେ କ୍ଷମତାକୁ ଫେରିବା ପରେ ଟିଏମ୍‌ସି ତ୍ରିପୁରା ଓ ମଣିପୁର ଉପରେ ଫୋକସ୍ ଦେଇଛି । କଂଗ୍ରେସରୁ ଆସି ଟିଏମସି ହାତ ଧରିଥିବା ସୁସ୍ମିତା ଦେବଙ୍କୁ ମମତାଙ୍କ ଦଳ ରାଜ୍ୟସଭା ଲଲିପପ୍ ଦେବା ସହ ତ୍ରିପୁରା ରାଜନୀତିରେ ସକ୍ରିୟ ରଖୁଛି । ମଣିପୁର ଏବଂ ଆସାମ ଉପରେ ମଧ୍ୟ ଟିଏମ୍‌ସିର କଡ଼ା ନଜର ରହିଛି । ଉତ୍ତର ପୂର୍ବ ଭାରତରେ ଟିଏମ୍‌ସି ଶକ୍ତିଶାଳୀ ହେବାର ସ୍ବପ୍ନ ଦେଖୁଥିବା ବେଳେ ଉତ୍ତର ପ୍ରଦେଶରେ ଦିଲ୍ଲୀ ମଡେଲକୁ ନେଇ ଆପ୍ ଦେଖୁଛି ସ୍ବପ୍ନ । ତେଣୁ, ଏହି ଦୁଇ ଦଳ ଏବେ କଂଗ୍ରେସ ଉପରେ ଭାରି ହୋଇଛନ୍ତି ।…

ସେହିପରି ନିକଟ ଅତୀତରେ ଓଡ଼ିଶା ପିପିଲିକୁ ମିଶାଇ ଯେତିକି ରାଜ୍ୟରେ ନିର୍ବାଚନ ହୋଇଛି, ସେହି ରାଜ୍ୟଗୁଡ଼ିକରେ କଂଗ୍ରେସ ଭୋଟ୍ ଅନ୍ୟ ଦଳକୁ ଯାଇଛି । ଦୁଇ ଦିନ ପୂର୍ବେ ତ୍ରିପୁରା ପୌର ନିର୍ବାଚନରେ ୨୨୨ ଆସନ ମଧ୍ୟରୁ ବିଜେପି ୨୧୭ ସିଟ୍ ପାଇଥିବା ବେଳେ ସିପିଏମ୍‌କୁ ମିଳିଛି ୩ଟି ଆସନ । ସେହିପରି ଟିଏମସି ଓ TIPRAକୁ ଗୋଟିଏ ଲେଖାଏଁ ଆସନ ମିଳିଛି । ଏଠାରେ କଂଗ୍ରେସର ଚିହ୍ନବର୍ଣ୍ଣ ହିଁ ନାହିଁ । ଦକ୍ଷିଣ ରାଜନୀତିରେ ବି କଂଗ୍ରେସର ସ୍ଥିତି ଭଲ ନାହିଁ । ତାମିଲନାଡୁରେ ଡିଏମ୍‌କେ ସରକାରରେ ଥିବାବେଳେ ଏମକେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ଅଛନ୍ତି । କର୍ଣ୍ଣାଟକରେ ବିଜେପି ସତ୍ତାରେ ଥାଇ ବାସବରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କରିଛି । କେରଳରେ ବାମ ସରକାର ରହିଛି। ତେଣୁ, ଏହି ଦିଗରେ କଂଗ୍ରେସର ପୋଜିସନ ଜମାରୁ ଭଲ ନାହିଁ।

ତେବେ ବିଜେପିକୁ ଗାଦିଚ୍ୟୁତ କରିବାକୁ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ଶରଦ ପାୱାର, ଅଖିଲେଶ ଯାଦବ, ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲ ମୁଖ୍ୟ ଅଛନ୍ତି । ଜାତୀୟ ରାଜନୀତିରେ ଏମାନେ ସବୁ ମିଳିମିଶି ରଣନୀତି ପ୍ରସ୍ତୁତ କରୁଛନ୍ତି । ଆବଶ୍ୟକ ପଡ଼ିଲେ ଗୋଆରେ ଟିଏମ୍‌ସି ଓ ଆପ୍‌ ଏକାଠି ନିର୍ବାଚନ ଲଢ଼ିପାରନ୍ତି । ତେଣୁ, ବିଜେପି ବିରୋଧରେ ଏମାନଙ୍କ ଲଢ଼େଇ ସହଜ ହୋଇଯିବ । କିନ୍ତୁ, କଂଗ୍ରେସ ନିଜର ପରିବାର ଭିତରେ ସୀମିତ ରହି ଧୀରେ ଧୀରେ ମୁଖ୍ୟ ବିରୋଧୀ ଦଳରୁ ମଧ୍ୟ ଉଭେଇ ଯିବାକୁ ବସିଲାଣି ।…

ଆଞ୍ଚଳିକ ଦଳ କଥା ବିଚାର କଲେ ଓଡ଼ିଶାରେ ଦୀର୍ଘ ୨୧ ବର୍ଷ ଧରି କ୍ଷମତାରେ ରହିଛି ବିଜେଡି । ସର୍ବଦା ସେଫ୍ ଜୋନର ଖେଳାଳି ଭାବେ ଅଭ୍ୟସ୍ତ ନବୀନ ପଟ୍ଟନାୟକ ୨୦୦୯ ଯାଏ ବିଜେପି ସହ ମେଣ୍ଟରେ ସରକାର କରିଥିଲେ । ଏହାପରେ ନିଜର ଚତୁର ରାଜନୀତି ଯୋଗୁ ବିଜେପି ହାତ ଛାଡ଼ି ଲଗାତାର ଭାବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।…

୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ସରକାର ବିରୋଧରେ ଲଢ଼େଇ କରିବାକୁ ଆଞ୍ଚଳିକ ଦଳ ଗୁଡ଼ିକ ମଧ୍ୟରେ ଏକ ମହାମେଣ୍ଟ ନେଇ ପ୍ରସ୍ତୁତି ଚାଲିଥିଲା । ଅବଶ୍ୟ ତାହା ସଫଳ ହୋଇ ପାରି ନ ଥିଲା । ବରଂ ସରକାର ଗଢ଼ିବାରେ ବିଜେପିକୁ ଆହୁରି ସହାୟକ ହୋଇଥିଲା । ମାତ୍ର, ୨୦୧୯ ନିର୍ବାଚନ ସମୟରେ ଆଞ୍ଚଳିକ ଦଳ ଗୁଡ଼ିକ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ତେଲଙ୍ଗାନାରେ କେସିଆର ମଧ୍ୟ ଜଣେ ଆଞ୍ଚଳିକ ନେତା । ତେଲଙ୍ଗାନାରେ ବିଜେପି ଭଳି ଦଳକୁ କେସିଆରଙ୍କ ଟିଆରଏସ ଚକମା ଦେଇଛି । ନବୀନଙ୍କ ସମଦୂରତା ଫର୍ମୁଲା କେତେକାଂଶରେ କେସିଆରଙ୍କୁ ବିଜୟୀ କରିଥିଲା । ମାତ୍ର, ଏହା ସମ୍ପୂର୍ଣ୍ଣ ଭାବେ ସତ ନୁହେଁ । ଟିଡିପି ସହ କଂଗ୍ରେସର ମେଣ୍ଟ ଏବଂ ଆନ୍ଧ୍ରପ୍ରଦେଶ ଭୟ ଯୋଗୁ କେସିଆର ଉଭୟ ଦଳଠାରୁ ସମଦୂରତା ରକ୍ଷା କରି ଏହି ବିଜୟ ପାଇଥିଲେ । ସେହିପରି ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କୁ ପରାଜିତ କରି ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର୍ କଂଗ୍ରେସ ସରକାର ଗଠନ କରିଛି ।…

୨୦୧୪ ନିର୍ବାଚନରେ କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଦର୍ଶାଇ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା, ସେଥିରେ ଦଳ ଫେଲ୍ ମାରିଲା । ୨୦୧୯ ନିର୍ବାଚନ ସମୟରେ ମଧ୍ୟ ଦଳ ଅନୁରୂପ ରଣନୀତି ପ୍ରସ୍ତୁତ କରି ବିଫଳ ହେଲା । ମାତ୍ର, ୨୦୧୯ ନିର୍ବାଚନ ପୂର୍ବରୁ ଦଳ ସାମାନ୍ୟ ଆଶ୍ବସ୍ତି ପାଇଥିଲା, ଯେତେବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ସରକାର ଗଠନ କରିଥିଲା କଂଗ୍ରେସ । ମାତ୍ର, ଏହାର ସଦୁପଯୋଗ କରି ନପାରିବାରୁ ପୁଣି ଥରେ ଦଳକୁ ଏହାର ମୂଲ ଚୁକାଇବାକୁ ପଡ଼ିଲା । ସୋନିଆଙ୍କ ବୟସ ଓ ରାହୁଲ ଗାନ୍ଧିଙ୍କ ବିଫଳ ରାଜନୀତି ଯୋଗୁ ଦଳର ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି । ତେଣୁ, ଦଳକୁ ଏବେ ବଞ୍ଚାଇବାକୁ ହେଲେ ପରିବାର ଠାରୁ ବାହାରିବାକୁ ପଡ଼ିବ । ବିଜେପିକୁ ଗାଦିଚ୍ୟୁତ କରିବାକୁ ହେଲେ ଟିଏମ୍‌ସି, ଆପ୍‌, ଏନସିପି ଭଳି ଦଳ ସହ ସାଥୀ ହୋଇ ଯିବାକୁ ପଡ଼ିବ । କାରଣ, ଇତିହାସରେ ଅନେକ ପ୍ରଧାନମନ୍ତ୍ରୀ କଂଗ୍ରେସରୁ ଓ ଗାନ୍ଧି ପରିବାର ବାହାରୁ ହୋଇଛନ୍ତି ।…

ନିର୍ବାଚନ ଜିତିବାକୁ ହେଲେ ଛୋଟ ଛୋଟ ଦଳ ଏବଂ ଆଞ୍ଚଳିକ ଦଳର ଭୂମିକା ମଧ୍ୟ ଜରୁରୀ । ତେଣୁ, ୨୦୨୪ ପାଇଁ କୌଣସି ବଡ଼ ରଣନୀତି କରିବାକୁ ହେଲେ ଛୋଟ ଓ ଆଞ୍ଚଳିକ ଦଳ ଗୁଡ଼ିକ ପ୍ରମୁଖ ଭୂମିକା ନିଭାଇବେ । ଆଉ ବିଜେପି ବିରୋଧୀ ମେଳିରେ ସେମାନେ ସାଜିବେ ପ୍ରମୁଖ ଗୋଟି ।

Leave A Reply

Your email address will not be published.