ଭୁବନେଶ୍ୱର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଇସ୍ତାହାର ଆଜି କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ ସମେତ ଉପସଭାପତି ଦିଗମ୍ବର ବିଶ୍ୱାଳ, ସାଧାରଣ ସଂପାଦକ ବିଜୟ ରାଜ, ଇଂ ମନୋଜ ନାୟକ, ସଂପାଦକ ଅବଦୁଲ କୟିମ୍ ଖାନ୍ ପ୍ରମୁଖ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ଗ୍ରାମାଞ୍ଚଳ ପାଇଁ ୨୬ଟି ପଏଣ୍ଟ ଇସ୍ତାହାରରେ ରଖାଯାଇଥିବା ବେଳେ ପଞ୍ଚାୟତ ଗୁଡ଼ିକର ଉନ୍ନତିକରଣ ଦିଗରେ ଏହା ସହାୟକ ହେବ ବୋଲି ଶ୍ରୀ ରଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଶ୍ରୀ ରଥ କହିଛନ୍ତି ଯେ ପଞ୍ଚାୟତରେ ଥିବା ଗରିବ ଲୋକଙ୍କୁ ମାସିକ ୩୦୦ ୟୁନିଟ୍ ଓ ଅନ୍ୟମାନଙ୍କୁ ୨୦୦ ୟୁନିଟ୍ ବିଦ୍ୟୁତ୍ ମାଗଣା ପ୍ରଦାନ କରାଯିବ । ଏଥିସହ ପଞ୍ଚାୟତରେ ଥିବା ପ୍ରତ୍ୟେକ ଧର୍ମାନୁଷ୍ଠାନର ଉନ୍ନତିକରଣ ସାଙ୍ଗକୁ ପଞ୍ଚାୟତରେ ଥିବା ପ୍ରତ୍ୟେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ, ପ୍ରତ୍ୟେକ ପଞ୍ଚାୟତରେ କୃଷକ ଗୋଷ୍ଠି ଗଠନ ସହିତ ଟ୍ରାକ୍ଟର ଯୋଗାଣ, ଗାଁ ଲୋକଙ୍କୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ପରିମାଣ ଅତି କମ୍ରେ ୨୦୦୦ ଟଙ୍କା ପାଇଁ ଉଦ୍ୟମ କରାଯିବ ।
ସେହିପରି ପ୍ରତି ପଞ୍ଚାୟତରେ ଆବଶ୍ୟକତା ଅନୁଯାୟୀ ଗୋଟିଏ କରି ଶୀତଳ ଭଣ୍ଡାର ପ୍ରତିଷ୍ଠା, ଗାଁରୁ ଉତ୍ପାଦିତ ଚାଉଳ, ଡାଲି ଓ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀକୁ ରାଜ୍ୟର ବଡ ବଡ ମଲରେ ବିକ୍ରି ସୁବିଧା, ଗାଁର ପ୍ରତ୍ୟେକ ରାସ୍ତାରେ ସୌରଶକ୍ତିଯୁକ୍ତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା, ଗାଁର ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କୁ ବର୍ଷକୁ ଥରେ ମାଗଣା ତୀର୍ଥ ଭ୍ରମଣ ବ୍ୟବସ୍ଥା, ପଞ୍ଚାୟତ ସ୍ତରରେ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ପାଇଁ ମାଗଣା କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର, ପ୍ରତି ପଞ୍ଚାୟତରେ ଗୋଟିଏ କରି ଖେଳପଡିଆ ଓ ପାର୍କ ପ୍ରତିଷ୍ଠା, ପଞ୍ଚାୟତର ଶ୍ରେଷ୍ଠ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ବାର୍ଷିକ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ, ପ୍ରତି ପଞ୍ଚାୟତରେ ଡିଜିଟାଲ ପାଠାଗାର ନିର୍ମାଣ, ଗାଁ ଗହଳର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ ପାଇଁ ବିଭିନ୍ନ ତାଲିମ କେନ୍ଦ୍ର ପ୍ରତିଷ୍ଠା, ଗାଁ ଚାଷୀଙ୍କ ଉତ୍ପାଦିତ ପନିପରିବା ସହରରେ ପହଞ୍ଚାଇବାପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା, କମ୍ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଯୋଗୁଁ ବନ୍ଦ ହୋଇଥିବା ସମସ୍ତ ବିଦ୍ୟାଳୟକୁ ପୁନଃ ଖୋଲିବା, ଗାଁ ନିକଟରେ ଥିବା ସମସ୍ତ ମଦ ଦୋକାନକୁ ଦୂରକୁ ସ୍ଥାନାନ୍ତର, ପ୍ରତ୍ୟେକ ଲୋକଙ୍କ ଘରେ ଗୋବର ଗ୍ୟାସ ଓ ସୌରଶକ୍ତି ଉତ୍ପାଦନ ପାଇଁ ପଦକ୍ଷେପ, ଗାଁରେ ଥିବା ଶିକ୍ଷିତ ବ୍ୟକ୍ତିଙ୍କୁ ଏକଜୁଟ କରି ପିଲାଙ୍କୁ ମାଗଣା କୋଚିଂ ବ୍ୟବସ୍ଥା, ଜିଲ୍ଲାସ୍ତରୀୟ ସମସ୍ତ କାର୍ଯ୍ୟାଳୟ (ଉଭୟ ସରକାରୀ ଓ ବେସରକାରୀ)ରେ କେବଳ ଓଡିଆ ଭାଷାରେ କାର୍ଯ୍ୟ ହେଉ । ଡାକ୍ତରୀ ଚିଠା, ବିଜୁଳି ବିଲ, ଜିଲ୍ଲାସ୍ତରୀୟ ନ୍ୟାୟାଳୟର ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ ଲିଖିତ ଭାବରେ ମିଳୁ ।
ଗାଁଗହଳ ପିଲାଏ (ଯେଉଁମାନଙ୍କ ସଂଖ୍ୟା ୯୫ଭାଗ) ଓଡିଆ ମାଧ୍ୟମରେ ଉଚ୍ଚଶିକ୍ଷା ପାଉଥିବାରୁ ଓଡିଶାର ସମସ୍ତ ନିଯୁକ୍ତି ପରୀକ୍ଷା କେବଳ ଓଡିଆ ଭାଷାରେ ହେଉ । ଗାଁଗହଳରେ ଥିବା ବିଦ୍ୟାଳୟମାନଙ୍କରେ କେବଳ ଓଡିଶା ସିଟି /ବିଏଡ ପାସ୍ ପିଲାଙ୍କ ନିଯୁକ୍ତି ଦିଆଯାଉ । ଆନ୍ଧ୍ରା ମେଟ୍ରିକ ଭଳି ଆନ୍ଧ୍ରା ବିଏଡକୁ ବେଆଇନ ଘୋଷଣା କରାଯାଉ ।
ଦେଶର ବିକାଶ ଗ୍ରାମ ଅର୍ଥନୀତି ଉପରେ ନିର୍ଭର କରୁଥିବାରୁ ଗ୍ରାମାଞ୍ଚଳର ଅର୍ଥନୈତିକ ବିକାଶପାଇଁ କୃଷିଭିତ୍ତିକ ଶିଳ୍ପକୁ ଗୁରୁତ୍ୱ ଦିଆଯାଉ । ତତ୍ସହିତ ନଈ ହେଉଛି ପ୍ରତି ଗ୍ରାମର ଜୀବନରେଖା । ତେଣୁ ନଈ ପାଣି ଓ ବାଲି ଉପରେ ଗାଁଲୋକଙ୍କ ପୂର୍ଣ୍ଣ ଅଧିକାର ରହିବ । ସେହିପରି ପ୍ରତି ଗ୍ରାମରେ ଜଳସେଚନର ସୁବିଧା କରି ତିନିଫସଲ ଉତ୍ପାଦନପାଇଁ ପଦକ୍ଷେପ ନିଆଯିବ ବୋଲି ଉକ୍ତ ନିର୍ବାଚନୀ ଇସ୍ତହାରରେ ପ୍ରକାଶ ପାଇଛି ।