ବେଗୁନିଆପଡ଼ା:୦୨/୧୨ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ୨ଶହରୁ ଊର୍ଦ୍ଧ୍ୱ ଗାଈ ବାଛୁରି ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଟି ଗାଈବାଛୁରୀର ମୃତ୍ୟୁ ଘଟିଛି। ପ୍ରାଣୀଧନ ଚିକିତ୍ସା କର୍ମୀଙ୍କ ଅବହେଳା ଯୋଗୁ ଆବଶ୍ୟକ ଚିକିତ୍ସା ଅଭାବରୁ ଅଜଣା ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି ।ବ୍ଳକ ଅନ୍ତର୍ଗତ ଖଣ୍ଡିଆନଈ, ବେଗୁନିଆପଡ଼ା, ଫାଶୀ, ସୁମଣ୍ଡଳ, ଅଗାଁର ଗାଁ ଆଦି ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ୨ଶହରୁ ଊର୍ଦ୍ଧ୍ୱ ଗାଈ ବାଛୁରି ଗତ କିଛି ଦିନ ହେଲା ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗାଈ ଗୋରୁମାନଙ୍କ ପ୍ରଥମେ ଚର୍ମ ଓ ଦେହସାରା ଗୁଳା ହୋଇ ଫୋଟକା ହୋଇଯାଉଛି। ଏବଂ ତାପରେ ଫୋଟକା ଫାଟି ରକ୍ତସ୍ରାବ ହେବା ସହିତ ଜୀବାଣୁ ଲାଗୁଛନ୍ତି।ଏବଂ ପରେ ପରେ ମୃତ୍ୟୁ ମୁଖରେ ପଡୁଛନ୍ତି ଗାଈ ଗୋରୁ। ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶହ ଶହ ସଂଖ୍ଯାରେ ଏଭଳି ଅଭିଯୋଗ ଆସୁଛି। ତେବେ ଉପଯୁକ୍ତ ଚିକିତ୍ସା ଅଭାବରୁ ତଥା ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ ଅବହେଳା ଯୋଗୁ ଏହି ରୋଗର ନିରାକରଣ ହୋଇ ପାରୁ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଆଜି ଏନେଇ ଅଭିଯୋଗ ପରେ ଏକ ଡାକ୍ତରୀ ଟିମ ଖଣ୍ଡିଆନଈ ଗ୍ରାମରେ ପହଞ୍ଚି ସ୍ଥିତି ଉପରେ ଅନୁଧ୍ୟାନ କରି ଆବଶ୍ୟକ ଚିକିତ୍ସା କରିଥିଲେ। ଲୋକଙ୍କୁ ବିବ୍ରତ ନହୋଇ ଗୁହାଳ ପରିସ୍କାର ରଖିବା ସହ ଆଲବେଲା, ହଳଦୀ ଗାଈ ମାନଙ୍କ ଶରୀରରେ ଲେପନ କରିବାକୁ ପରାମର୍ଶ ଦେଇଛନ୍ତି ବ୍ଲକ ଭେଟେନାରୀ ଅଫିସର ଭବାନୀ ତ୍ରିପାଠୀ। । ଅନ୍ୟପଟେ ଚିକିତ୍ସା ପାଇଁ କୌଣସି ସରକାରୀ ସହାୟତା ମିଳୁନି। ନିଜ ଖର୍ଚ୍ଚରେ ଚିକିତ୍ସା କରୁଛନ୍ତି ଲୋକେ।ହଜାର ହଜାର ଟଙ୍କା ଗରିବ ଲୋକେ ଖର୍ଚ୍ଚ କରି ଖର୍ଚ୍ଚାନ୍ତ ହେଉଥିବା କହିଛନ୍ତି। ସେପଟେ ଏନେଇ ଭ୍ଯାକସିନ୍ ମଗା ଯାଇଛି। ଆସନ୍ତା କାଲି ଠାରୁ ଭ୍ଯାକସିନ୍ ଦିଆଯିବ ବୋଲି ବ୍ଲକ ଭେଟେନାରୀ ଅଫିସର କହିଛନ୍ତି ।ତେବେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।