ଭଞ୍ଜନଗର,୨୧/୦୧ : ଭଞ୍ଜନଗର ସହର ପ୍ରମୁଖ ସ୍ଥଳ ଭାବେ ପରିଚିତ ଭେଟସ୍ଥଳ ସ୍ମାରକୀ ଭାଙ୍ଗି ଯାଇଛି। ବ୍ଲକ ରୋଡର ବନବିଭାଗ ବିଶ୍ରମଗାର ସାମ୍ନାରେ ଏହି ସ୍ମାରକୀ ନିର୍ମାଣ କରାଯାଇଥିଲା। ଡିଭାଇଡର ଆରମ୍ଭରେ ରହିଥିବା ବେଳେ ଗତ ରାତିରେ ଦ୍ରୁତ ଗତିରେ ଆସି କୌଣସି ଗାଡ଼ି ଧକ୍କା ଦେଇଥିବା ଅନୁମାନ କରାଯାଉଛି। ଉକ୍ତ ସ୍ମାରକୀ ସଂପୂର୍ଣ୍ଣ ଭାବେ ଭାଙ୍ଗି ତଳେ ପଡିଥିବା ସକାଳୁ ଦେଖିବାକୁ ମିଳିଥିଲା। ସହରର ଭାବାବେଗ ସହ ଜଡ଼ିତ ଐତିହାସିକ ଠାକୁରାଣୀ ଯାତ୍ରା ସମୟରେ ଏହି ଭେଟ ସ୍ଥଳ ବହୁତ୍ ଗୁରୁତ୍ବ ବହନ କରିଥାଏ। ଦୀର୍ଘ ଦିନ ଧରି ସହରରେ ଏହି ଯାତ୍ରା ହେଉଥିଲେ ମଧ୍ୟ ଦୁଇ ଦେବୀଙ୍କ ମିଳନ ହୋଇନଥାଏ। ବହୁତ୍ ଦିନ ଯାତ୍ରା ଅନୁଷ୍ଠିତ ହେବା ପରେ ଯାତ୍ରା ଶେଷ ଦିନ ଘୁମୁସର ମାଟିର ଅଧିଷ୍ଠାତ୍ରୀ ଦେବୀ ବ୍ୟାଘ୍ରଦେବୀ ଏବଂ ଠାକୁରାଣୀ ଙ୍କ ଏହି ସ୍ଥାନରେ ଭେଟ ହୁଏ। ଏହା ପରେ ଉଭୟ ଦେବୀ ନିଜ ନିଜ ମନ୍ଦିରକୁ ପ୍ରସ୍ଥାନ କରନ୍ତି। ଏହା ପରେ ଯାତ୍ରା ଶେଷ ହୋଇଥାଏ। ତେଣୁ ଏହି ସ୍ଥାନର ସ୍ୱତନ୍ତ୍ରତା ଦୃଷ୍ଟିରୁ ଏଠି ସ୍ମାରକୀ ନିର୍ମାଣ କରାଯାଇଥିଲା । ସ୍ମାରକୀ ଭାଙ୍ଗି ଯାଇଥିବା ବେଳେ ଏହାକୁ ତୁରନ୍ତ ସଜାଡ଼ିବା ସହ ଚାରିପାଖରେ ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।