ନିପନ୍ ଷ୍ଟିଲ୍ ପ୍ଲାଣ୍ଟ ଓଡିଶା ଛାଡି ଆନ୍ଧ୍ର ଯିବା ପ୍ରସଙ୍ଗରେ ଶିଳ୍ପମନ୍ତ୍ରୀ ପ୍ରତିକ୍ରିୟା । ପୂର୍ବ ସରକାର ସମୟରେ ୨ ବର୍ଷ ଧରି କିଛି କାମ କରୁନଥିଲା । ସେ ସମୟରେ ଫେରିଯାଇଥିବା କମ୍ପାନୀ ଏବେ ଆସୁଛନ୍ତି । ତେବେ ବିଜେଡି ତିଷ୍ଠିବା ପାଇଁ ସଂଘର୍ଷ କରୁଛି, ଆଉ ଭ୍ରମିତ କରିବାକୁ ଚେଷ୍ଟା କରୁଛି ବୋଲି ଶିଳ୍ପ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ଦେଶର ଏକ ପ୍ରମୁଖ କମ୍ପାନୀ ହେଉଛି ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ କମ୍ପାନୀ । ପ୍ରତାପ ଜେନା ଏ କଥା କେମିତି କହିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ବିଜେଡି ସରକାର ଅମଳରେ ଗୁଜୁରାଟର ହାଜିରାରେ ଏକ କମ୍ପାନୀ କରିଥିଲା ନିପନ୍ ଷ୍ଟିଲ। ସେତେବେଳେ କହିଲେନି ଯେ, ଓଡ଼ିଶାରୁ ଏହା ଗୁଜୁରାଟ ପଲାଇଲା ବୋଲି । ବଡ କଥା ହେଉଛି, ବିଜୁ ଜନତା ଦଳ ସମୟରେ ଯେଉଁ ଶିଳ୍ପ ଫେରିଯାଇଥିଲେ ସେମାନେ ଏବେ ଫେରୁଛନ୍ତି ବୋଲି ଶିଳ୍ପ ମନ୍ତ୍ରୀ ।
ସୂଚନାଯୋଗ୍ୟ ଯେ, ଶିଳ୍ପମନ୍ତ୍ରୀଙ୍କ ପୂର୍ବରୁ ନିପନ ଷ୍ଟିଲ୍ ପ୍ଲାଣ୍ଟ ପ୍ରୋଜେକ୍ଟ ଓଡିଶାରୁ ଆନ୍ଧ୍ରକୁ ଯିବା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଥିଲା ବିଜେଡି । ବିଜେଡି ନେତା ପ୍ରତାପ ଜେନା ଆଜି ଏହି ପ୍ରସଙ୍ଗରେ ମୋହନ ସରକାରକୁ ଘେରିଛନ୍ତି । ସିଧା ସିଧା ଟାର୍ଗେଟ କରି ମୋହନ ସରକାରକୁ ନିକମା ସରକାର ବୋଲି କହିଛନ୍ତି ପ୍ରତାପ ଜେନା । ଆଉ ତା ସହ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜାପାନ ଯାଇ ନିପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ, ହେଲେ ଏବେ ଏହା ଆନ୍ଧ୍ରକୁ ଚାଲି ଯାଉଛି, ଯାହାକି ଓଡିଶା ପାଇଁ ଦୁର୍ଭାଗ୍ୟଜନକ । ନିପନ ଷ୍ଟିଲ ଓଡ଼ିଶାରେ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ନିବେଶ କରିଥାନ୍ତା । ଯାହା ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିବା ସହ ଶିଳ୍ପ ସମୃଦ୍ଧ ରାଜ୍ୟ ହୋଇଥାନ୍ତା ଓଡ଼ିଶା । ହେଲେ ରିମୋର୍ଟ କଣ୍ଟ୍ରୋଲ ସରକାର ପାଇଁ ନିପନ୍ ଷ୍ଟିଲ ଆନ୍ଧ୍ରକୁ ଚାଲିଯାଉଛି ବୋଲି ପ୍ରତାପ କହିଥିଲେ ।